ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ତ୍ରୁଟି, ମୋଦିଙ୍କ ଆଡକୁ ଦୌଡି ଆସିଲେ ବ୍ୟକ୍ତି
25/03/2023 at 7:51 PM

ବେଙ୍ଗାଲୁରୁ ୨୫।୩: କର୍ଣ୍ଣାଟକରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଛି। ଏଠାରେ ପ୍ରଧାନମନ୍ତ୍ରୀଙ୍କ ରାଲି କାଳରେ ସୁରକ୍ଷା ଭଙ୍ଗ ହୋଇଛି। ମାତ୍ର ୩ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏପରି ତ୍ରୁଟି ଦ୍ୱିତୀୟବାର ଦେଖାଯାଇଥିବା ବେଳେ ଚାଞ୍ଚଲ୍ୟ ଖେଳି ଯାଇଛି। ରାଲିରେ ଜଣେ ବ୍ୟକ୍ତି ଅଚାନକ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡିବା ଦେଖି ସୁରକ୍ଷା କର୍ମୀମାନେ ତାଙ୍କୁ କାବୁ କରି ନେଇଥିଲେ। ସୁରକ୍ଷା ଏଜେନ୍ସୀ ବ୍ୟକ୍ତିକୁ ଅଟକ ରଖିଛନ୍ତି। ତାକୁ ପଚରା ଉଚରା କରାଯାଉଥିବା ବେଳେ ତା ବିଷୟରେ ସନ୍ଧାନ ଜାରି ରହିଛି।

ଏହି ପୁରା ପ୍ରକରଣ କର୍ଣ୍ଣାଟକ ଦାଭଣଗେରେରେ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ସୋ କରାଯାଉଥିଲା। ସଡକର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ ଜମିଥିବା ବେଳେ ଏଥିରୁ ବାହାରି ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପହଞ୍ଚିବାକୁ ଚେଷ୍ଟା କରିଥିଲା। ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖାପାଖି ହୋଇଯାଇଥିଲା। କୁହାଯାଉଛି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ କାରକେଡରେ ପଶିବାକୁ ଉଦ୍ୟମ କରୁଥିଲା। ପ୍ରଧାନମନ୍ତ୍ରୀଙ୍କ ଏତେ ପାଖାପାଖି ହେବା ଏବେ ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି।

ପ୍ରଧାନମନ୍ତ୍ରୀ ଶନିବାର କର୍ଣ୍ଣାଟକ ଗସ୍ତରେ ଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସମାବେଶକୁ ସମ୍ବୋଧିତ କରିବା ପରେ ରୋଡ ସୋ ରେ ବାହାରିଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ଲାଗି ୩ ଲେୟାରର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହା ସାଙ୍ଗକୁ ରାସ୍ତା କଡରେ ବାରିକେଡ ମଧ୍ୟ ଲଗାଯାଇଥିଲା। ତେବେ ବ୍ୟକ୍ତି ବ୍ୟାରିକେଡ ଡେଇଁ ପ୍ରଧାନମନ୍ତ୍ରୀଙ୍କ ଆଡକୁ ଦୌଡ ଲଗାଇଦେଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଓ ହୋମଗାର୍ଡ ବ୍ୟକ୍ତିକୁ ଧରି ପକାଇଥିଲେ। ଏସପିଜି ବ୍ୟକ୍ତିକୁ ଗିରଫ କରିଛି। ଘଟଣାକୁ ଗୁରୁତର ସୁରକ୍ଷା ତ୍ରୁଟି ବୋଲି ଏବେ କୁହାଯାଉଛି।