ସନାତନ ଧର୍ମକୁ ନେଇ ବିରୋଧୀ ମେଣ୍ଟକୁ ମୋଦୀଙ୍କ ଟାର୍ଗେଟ୍, ଜବାବରେ କଂଗ୍ରେସ କହିଲା ପିଏମ୍ ଅପମାନ ଦେବାରେ ପ୍ରବୀଣ
14/09/2023 at 9:52 PM

ନୂଆଦିଲ୍ଲୀ: ସନାତନ ଧର୍ମକୁ ନେଇ ଡିଏମକେ ନେତାମାନଙ୍କର ବୟାନବାଜୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କଡ଼ା ସମାଲୋଚନା କରିଛନ୍ତି। ଏଥିସହିତ ବିରୋଧୀ ଦଳ ଇଣ୍ଡିଆକୁ ମଧ୍ୟ ନିନ୍ଦା କରିଛନ୍ତି। ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିରୋଧୀ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ (ଇଣ୍ଡିଆକୁ) କୁ ଇଣ୍ଡି ବୋଲି ସମ୍ବୋଧନ କରିବା ସହିତ ଏହାକୁ ଅହଂକାରୀ ମେଣ୍ଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରତି ଜବାବ ଦେଇ କହିଛି ମୋଦୀ ଅପମାନ କରିବାକୁ ପ୍ରବୀଣ।
ମଧ୍ୟପ୍ରଦେଶର ବିଣାରେ ୫୦,୮୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ୍ କରିଥିଲେ। ବିରୋଧୀ ଦଳ ଦେଶ ଓ ସମାଜକୁ ବିଭାଜନ କରୁଛି ବୋଲି ମୋଦୀ କହିଛନ୍ତି।
ଉଦୟନିଧି ଷ୍ଟାଲିନ ଓ ଡିଏମ୍କେ ସାଂସଦ ଏ ରାଜାଙ୍କ ମନ୍ତବ୍ୟକୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି ଯେ ଅହଂକାରୀ ମେଣ୍ଟର ନୀତି ଏବଂ ରଣନୀତି ହେଉଛି ଭାରତର ସଂସ୍କୃତି ଉପରେ ଆକ୍ରମଣ କରିବା। ଏହି ଇଣ୍ଡି ମିଳିତ ମଞ୍ଚର ନିଷ୍ପତ୍ତି ହେଉଛି ଭାରତୀୟଙ୍କ ବିଶ୍ୱାସ ଉପରେ ଆକ୍ରମଣ କରିବା ବୋଲି ମୋଦୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅହଂକାରୀ ମେଣ୍ଟ ସନାତନ ରୀତିନୀତି ଏବଂ ପରମ୍ପରାକୁ ସମାପ୍ତ କରିବାକୁ ଏକ ସଂକଳ୍ପ ନେଇ ଆସିଛି।
ଯେଉଁ ସନାତନକୁ ମହାତ୍ମା ଗାନ୍ଧୀ ତାଙ୍କ ଜୀବନସାରା ମାନିଲେ, ସନାତନ ଯିଏ ତାଙ୍କୁ ଅସ୍ପୃଶ୍ୟତା ବିରୁଦ୍ଧରେ ଆନ୍ଦୋଳନ ଚଳାଇବାକୁ ପ୍ରେରଣା ଦେଇଥାଏ। ଏହି ଅହଂକାରୀ ମିଳିତ ଲୋକମାନେ ସେହି ଅନନ୍ତ ପରମ୍ପରାକୁ ଶେଷ କରିବାକୁ ଚାହାଁନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି। ତେଣୁ ପ୍ରତ୍ୟେକ ଜନତା ଏଥିପ୍ରତି ସତର୍କ ରହିବା ଉଚିତ ବୋଲି ମୋଦୀ କହିଛନ୍ତି।
ଛତିଶଗଡ଼ ରାୟଗଡ଼ରେ ବି ସନାତନ ଧର୍ମ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ରାୟ ଗଡ଼ରେ କଂଗ୍ରେସକୁ ଟାର୍ଗେଟ୍ କରି ମୋଦୀ କହିଥିଲେ ଯେ ସ୍ୱାଧୀନତା ପରେ ସେମାନେ ଦୀର୍ଘଦିନ ଧରି ମଧ୍ୟପ୍ରଦେଶରେ ଶାସନ କରିଥିଲେ। ହେଲେ ଦୁର୍ନୀତି ଓ ଅପରାଧ ଛଡ଼ା ରାଜ୍ୟୁ ଆଉ କିଛି ମିଳିଲା ନାହିଁ। ହେଲେ ବିଜେପି ରାଜ୍ୟରେ ଦୁର୍ନୀତି ଦୂର କରିବା ସହ ଆଇନଶୃଙ୍ଖଳା ସୁଧାରିଲୁ ବୋଲି ମୋଦୀ କହିଛନ୍ତି।
ଅନ୍ୟପଟେ କଂଗ୍ରେସ ମଧ୍ୟ ମୋଦୀଙ୍କୁ ପାଲଟା ଜବାବ ଦେଇଛନ୍ତି। ସେ ସୋସିଆଲ୍ ମିଡିଆଇ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମୋଦୀ ସରକାରୀ କର୍ଯ୍ୟକ୍ରମରେ ବି ବିରୋଧୀଙ୍କୁ ଅପମାନିତ କରୁଛନ୍ତି। ସେ କହିଛନ୍ତି “ପ୍ରଧାନମନ୍ତ୍ରୀ ପୁଣିଥରେ ତାହା କରିବା ପାଇଁ ଆରମ୍ଭ କରିଦେଇଛନ୍ତି ଯେଉଁଥିରେ ସେ ପ୍ରବୀଣ। ଅପମାନ କରିବା। ସେ ପୁଣିଥରେ ‘ଇଣ୍ଡିଆକୁ’କୁ ଅହଂକାରୀ ଦଳ ବୋଲି କହୁଛନ୍ତି। ଦେଖ କିଏ କହୁଛି! ବିରୋଧୀଙ୍କୁ ଅପମାନିତ କରିବା ପାଇଁ ସରକାରୀ କାର୍ଯ୍ୟକ୍ରମର ବ୍ୟବହାର କରୁଥିବା ବ୍ୟକ୍ତି|”
ପଢ଼ନ୍ତୁ-ଟିଭି ଆଙ୍କରଙ୍କୁ ବୟକଟ୍ କରିବାକୁ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତି, ତାଲିକାରେ ୧୪ ଜଣଙ୍କ ନାଁ
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ। କିନ୍ତୁ ଏହି ଅବସରରେ ସେ ଯେଉଁ ଭାଷାର ବ୍ୟବହାର କଲେ ତାହା ପ୍ରଧାନମନ୍ତ୍ରୀଙ୍କ ଗରିମା ଅନୁରୂପ ନଥିଲା। ତାଙ୍କର ଭାଷଣ ରାଜନୈତିକ ଘୃଣାରେ ପରିପୂର୍ଣ୍ଣ ଥିଲା। ସେ ଇଣ୍ଡିଆ ମିଳିତ ମଞ୍ଚ ବିଷୟରେ ଅନେକ ଶସ୍ତା କଥା କହିଛନ୍ତି।
ସେହିପରି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ମଧ୍ୟ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି “ କିଛି ବି କହିବାକୁ ପିଏମ ମୋଦୀଙ୍କର ପୂର୍ଣ୍ଣ ସ୍ୱାଧୀନାତ ରହିଛି। କିନ୍ତୁ ଅନେକ ପ୍ରସଙ୍ଗ ଅଛି ଯାହା ଉପରେ ସେ ଧ୍ୟାନ ଦେବା ଉଚିତ୍। ଚୀନ୍ ସୀମାରେ ଟନେଲ୍ ଓ ଗ୍ରାମ ନିର୍ମାଣ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ସନାତନ ଧର୍ମ ୩୫୦୦ ପରଠାରୁ ଚାଲିଆସୁଛି, ଆଗାମୀ ୩୫୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ। ଏଥିପାଇଁ କାହାର ସମର୍ଥନର କୌଣସି ଲୋଡ଼ା ନାହିଁ।”