ନୂଆଦିଲ୍ଲୀ: ମହାରାଷ୍ଟ୍ର ନାନ୍ଦେଡ୍ରେ ଶନିବାର ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାହୁଲ ଯେମିତି ଅମେଠୀରୁ ଛାଡ଼ି ପଳାଇଲେ ସେହିପରି ୱାୟନଡ଼ରୁ ବି ସେ ଛାଡ଼ି ପଳାଇବେ ବୋଲି ମୋଦୀ କହିଛନ୍ତି। ସେଠାରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ମିଳୁ ନାହିଁ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀଙ୍କୁ ଶେହେଜାଦେ(ରାଜକୁମାର) ବୋଲି କଟାକ୍ଷ କରି ମୋଦୀ କହିଛନ୍ତି “ କଂଗ୍ରେସର ଶେହେଜାଦେଙ୍କୁ ୱାୟନଡ଼ରେ ସଂକଟ ଦେଖାଯାଉଛି। ଶେହେଜାଦେ ଓ ତାଙ୍କ ଗୋଷ୍ଠୀ ଏପ୍ରିଲ ୨୬ ତାରିଖରେ ୱାୟନଡ଼ରେ ହେବାକୁ ଥିବା ଭୋଟିଂର ଅପେକ୍ଷା କରିଛନ୍ତି। ଯେମିତି ତାଙ୍କୁ ଅମେଠୀରୁ ଯିବାକୁ ପଡ଼ିଲା, ଆପଣ ପୂରା ଭାବନ୍ତୁ ଯେ ସେ ୱାୟନଡ଼ରୁ ବି ଛାଡ଼ିବେ।”
ପଢ଼ନ୍ତୁ- ଭୋଟ୍ ପୂର୍ବରୁ ପଞ୍ଜାବ କଂଗ୍ରେସକୁ ଝଟକା; ହାତ ଛାଡ଼ିଲେ ଡକ୍ଟର ତେଞ୍ଜିଦର ସିଂହ ବିଟ୍ଟୁ, ବିଜେପିରେ ମିଶିବା ଚର୍ଚ୍ଚା
ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟନଡ଼ରୁ ନିର୍ବାଚନ ଲଢ଼ିବେ ବୋଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୧୯ରେ ସେ ଉଭୟ ଅମେଠୀ ଓ ୱାୟନଡ଼ରୁ ନିର୍ବାଚନ ଲଢ଼ିଥିଲେ। ହେଲେ ଅମେଠୀରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୱାୟଡ଼ରୁ କିନ୍ତୁ ଜିତିଥିଲେ।
ନାନ୍ଦେଡ଼ରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟ ଦେଶବାସୀଙ୍କୁ ତାଙ୍କ ନେତା କିଏ ବୋଲି କହିପାରୁ ନାହାନ୍ତି। ନିର୍ବାଚନ ଘୋଷଣା ହେବା ପୂର୍ବରୁ କଂଗ୍ରେସ ନେତାମାନେ ପରାଜୟ ସ୍ୱୀକାର କରିସାରିଲେଣି।
ସୂଚନା ଥାଉକି ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରେ ନିର୍ବାଚନ ୫ଟି ପର୍ଯ୍ୟାୟର ହେବ। ଏପ୍ରିଲ ୧୯ ତାରିଖରୁ ମେ ୨୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ଚାଲିବ। ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବ। ଏପ୍ରିଲ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ।