ସରିଲା ଜି-୨୦ ଶିଖର ସମ୍ମିଳନୀ, ବ୍ରାଜିଲ୍‌କୁ ଅଧ୍ୟକ୍ଷତା ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାବପ୍ରବଣ ହେଲେ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲ୍‌ଭା

Published By : Prameya-News7 Bureau | September 10, 2023 IST

ନୂଆଦିଲ୍ଲୀ: ସୁରୁଖୁରରେ ଶେଷ ହୋଇଛି ଭାରତରେ ଆୟୋଜନ ହୋଇଥିବା ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ। ସ୍ୱସ୍ତି ଅସ୍ତୁ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା ସହିତ ସମ୍ମିଳନୀ ସମାପ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ସେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡା ସିଲ୍‌ଭାଙ୍କୁ ଜି-୨୦ ଅଧ୍ୟକ୍ଷତା ପଦ ହସ୍ତାନ୍ତର କରିଛନ୍ତି।  

ଶିଖର ସମ୍ମିଳନୀ ଶେଷରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି “ମୁଁ ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରୁଛି। ଆଶା କରୁଛି ଯେ ଗୋଟିଏ ପୃଥିବୀ ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ରୋଡ୍‌ମ୍ୟାପ୍‌ ଆନନ୍ଦମୟ ହେବ। ୧୪୦ କୋଟି ଭାରତୀୟଙ୍କର ଏହି ମଙ୍ଗଳ କାମନା ସହ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିୟୋଙ୍କୁ ମୁଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି, ଓ ତାଙ୍କୁ ଜି-୨୦ ବୈଠକର ଅଧ୍ୟକ୍ଷତା ହସ୍ତାନ୍ତର କରୁଛି।”

ପଢ଼ନ୍ତୁ-ରାଷ୍ଟ୍ରପତି ଆୟୋଜନ କରିଥିଲେ ରାତ୍ରୀଭୋଜନ, ଭାରତୀୟ ବେଶଭୁଷାରେ ନଜର ଆସିଲେ ବିଦେଶୀ ଅତିଥି

ସେହିପରି ନଭେମ୍ବର ମାସରେ ଭର୍ଚୁଆଲ ସେସନ ରଖିବାକୁ ପ୍ରସ୍ତାବ ଦେଇ ମୋଦୀ କହିଛନ୍ତି  “ଭାରତ ପାଖରେ ନଭେମ୍ବର ମାସ ପର୍ଯ୍ୟନ୍ତ ଜି-୨୦ ଅଧ୍ୟକ୍ଷତା ରହିଛି। ଏହି ଦୁଇ ଦିନ ଭିତରେ ଆପଣ ଅନେକ କଥା ଓ ଅନେକ ପ୍ରସ୍ତାବ ରଖିଛନ୍ତି। ଆମ ଦାୟିତ୍ୱ ଆସିଥିବା ପ୍ରସ୍ତାବର ପ୍ରଗତି କରିବା। ମୋ ପ୍ରସ୍ତାବ ହେଲା ଯେ ଆମେ ନଭେମ୍ବର ଶେଷରେ ଜି-୨୦ର ଆଉ ଏକ ଭର୍ଚ୍ଚୁଆଲ ଶେସନ ରଖିବା। ସେଥିରେ ଆମେ ଏହି ସମ୍ମିଳନୀରେ ହୋଇଥିବା ନିର୍ଦ୍ଧାରିତ ବିଷୟର ସମୀକ୍ଷା କରିପାରିବା। ଏହାରପୂରା ଅପ୍‌ଡେଟ୍ ଆମ ଟିମ୍ ଆପଣଙ୍କ ସହ ଶେୟାର କରିବ। ମୁଁ ଆଶା କରୁଛି ଯେ ଆପଣ ସମସ୍ତେ ଏଥିରେ ଭାଗ ନେବେ।”

ସେହିପରି ବ୍ରାଜିଲକୁ ସବୁ ପ୍ରକାର ସହଯୋଗ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି “ବ୍ରାଜିଲକୁ ଭାରତ ଅଧ୍ୟକ୍ଷତା ଦେଇଛି। ଆମର ଅତୁଟ ବିଶ୍ୱାସ ଅଛି ଯେ ସେ ଦୂରଦୃଷ୍ଟି ସହିତ ସମର୍ପଣ ଭାବରେ ଏହାର ନେତୃତ୍ୱ ନେବେ, ଏବଂ ବିଶ୍ୱ ଏକତା ସହ ସମୃଦ୍ଧିକୁ ମଧ୍ୟ ଆଗକୁ ନେବ।” ଆଗାମୀ ଜି -୨୦ର ଅଧ୍ୟକ୍ଷତାରେ ଭାରତ ବ୍ରାଜିଲକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ବି ଦେଇଛି।

ପଢ଼ନ୍ତୁ-ଚୀନକୁ ଝଟ୍‌କା: ବିଆର୍‌ଆଇ ପ୍ରୋଜେକ୍ଟରୁ ଓହରିପାରେ ଇଟାଲି, ପ୍ରଧାନମନ୍ତ୍ରୀ ଦେଲେ ସଂକେତ

ଏହି ସମୟରେ ଭାବପ୍ରବଣ ହୋଇଯାଇଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିୟୋ। ସେ କହିଥିଲେ “ ଯେବେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇଥିଲୁ ସେତେବେଳେ ମୁଁ ବହୁତ ଭାବପ୍ରବଣ ହୋଇଯାଇଥିଲି। ମୋ ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କର ବହୁତ ହାତ ରହିଛି। କାରଣ ମୁଁ ଦଶନ୍ଧୀ ଧରି ଅହିଂସା ପଥ ଅନୁସରଣ କରିଆସୁଛି। ଯେବେ ମୁଁ ଶ୍ରମିକ ଆନ୍ଦୋଳନ ପାଇଁ ଲଢ଼ିଥିଲି। ତେଣୁ ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲାବେଳେ ମୁଁ ଭାବପ୍ରବଣ ହୋଇଯାଇଥିଲି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.