ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀପାବଳି ଉପହାର, ଅକ୍ଟୋବର ୨୨ରେ ୭୫ ହଜାର ଯୁବକଯୁବତୀଙ୍କୁ ଦେବେ ନିଯୁକ୍ତିପତ୍ର

Published By : Prameya-News7 Bureau | October 20, 2022 IST

ନୂଆଦିଲ୍ଲୀ ୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ଦୀପାବଳିରେ ଯୁବକ ଯୁବତୀଙ୍କୁ ବଡ ଗିଫ୍ଟ  ଦେବାକୁ ଯାଉଛନ୍ତି। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ୨୨ ତାରିଖ ଦିନ ଦେଶର ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମ ଭିଡିଓ କନଫରେନସିଂ ମାଧ୍ୟମରେ ହେବାକୁ ଥିବା ବେଳେ ସାରା ଦେଶର ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ।

ଏଥିରେ ଓଡ଼ିଶାରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ଚଣ୍ଡିଗଡ଼ରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମହାରାଷ୍ଟ୍ରରୁ ପିୟୁଷ ଗୋୟଲ ସାମିଲ ହେବେ। ଏହା ଛଡା ସାଂସଦମାନେ ନିଜନିଜ ସାଂସଦୀୟ କ୍ଷେତ୍ରରୁ କାର୍ଯ୍ୟକ୍ରମରେ ଯୋଗଦେବେ। ଗତ ଜୁନମାସରେ ପ୍ରଧାନମନ୍ତ୍ରୀ ସମସ୍ତ ବିଭାଗ ଓ ମନ୍ତ୍ରାଳୟଙ୍କ କାର୍ଯ୍ୟ ସମୀକ୍ଷା କରି ତାଙ୍କ ସରକାର ଆଗାମୀ ଦେଢ ବର୍ଷରେ ଅର୍ଥାତ ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ।  

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଦିଗରେ ମିସନ ମୋଡରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୨୨ ଅକ୍ଟୋବରରେ ୭୫ ହଜାର ନିଯୁକ୍ତିପତ୍ର ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ ଯେ ଦେଶରେ ବେକାରୀ ସମସ୍ୟାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି। ପ୍ରାୟ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡା କରୁଛନ୍ତି। ଏଣୁ ବିରୋଧୀଙ୍କ ଲାଗି ସରକାରଙ୍କର ଏହା କଡ଼ା ଜବାବ ବୋଲି ବୁଝା ଯାଉଥିବା ବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନରେ ଏହାର ଫାଇଦା ମିଳିବ ବୋଲି ବିଜେପି ବିଚାର କରୁଛି।

ଚଳିତବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ଦୀପାବଳିରେ ଛୁଟି ନେବେ ନାହିଁ। ସାରା ଦିନ ତାଙ୍କର ବ୍ୟସ୍ତତାରେ କଟିବ। ଗୁଜରାଟ ଓ ହିମାଚଳରେ ନିର୍ବାଚନ ରାଲି ସମେତ ପ୍ରଧାନମନ୍ତ୍ରୀ ଧନତେରସ ଦିନ କେଦାରନାଥ ଗସ୍ତ କରିବେ। ଦୀପାବଳି ପୂର୍ବଦିନ ପ୍ରଧାନମନ୍ତ୍ରୀ ଅଯୋଦ୍ଧ୍ୟାରେ ରହିବେ ଓ ଦୀପାବଳି  ସୈନିକଙ୍କ ସହ ପାଳନ କରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.