ଚାଷୀଙ୍କ ପାଇଁ ୩.୭୦ ଲକ୍ଷ କୋଟିର ପ୍ୟାକେଜକୁ ମଞ୍ଜୁରୀ, ଆରମ୍ଭ ହେଲା PM-PRANAM

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ, ୨୮/୦୬: PM-PRANAM ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ । ଚାଷୀଙ୍କୁ ମିଳିବ ଫାଇଦା। ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଚାଷୀଙ୍କ ପାଇଁ ପିଏମ-ପ୍ରଣାମ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା ଅନୁଯାୟୀ, କ୍ୟାବିନେଟ୍‌ ୩,୬୮,୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ଯୋଜନାରେ ରାସାୟନିକ ସାର ବଦଳରେ ଜୈବିକ ସାରକୁ ବିକଳ୍ପ ଭାବରେ ବ୍ୟବହାର କରିବାକୁ ପ୍ରୋତ୍ସାହନ ଦିଆଯିବା ନେଇ ଲକ୍ଷ୍ୟ ରହିଛି।

ଏହି ଯୋଜନା ଅନୁଯାୟୀ, ରାଜ୍ୟଙ୍କୁ ରାସାୟନିକ ସାରର ବ୍ୟବହାର କମ୍ କରିବାକୁ ପ୍ରୋତ୍ସାହିତ କରାଯିବ। PM-PRANAMର ଅର୍ଥ ହେଉଛି (ପିଏମ- ପ୍ରମୋଶନ ଅଫ୍‌ ଅଲ୍ଟରନେଟିଭ୍‌ ନ୍ୟୁଟ୍ରିଏଣ୍ଟ୍ସ ଫର ଆଗ୍ରିକଲଚର ମ୍ୟାନେଜମେଣ୍ଟ) । ପ୍ରସ୍ତାବିତ ଯୋଜନାର ଉଦ୍ଦେଶ୍ୟ ରାସାୟନିକ ସାର ଦିଆଯାଉଥିବା ସବସିଡି ବୋଝକୁ କମ୍ କରିବା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀରେ ୨୦୨୩-୨୪ର ବଜେଟରେ ଯୋଜନା ଲାଗୁ କରିବା ପାଇଁ ଘୋଷଣା କରିଥିଲେ।

ମନ୍ତ୍ରିମଣ୍ଡଳ ବୈଠକ ପରେ ମନସୁଖ ମାଣ୍ଡଭେୟ କହିଛନ୍ତି ​‌ଯେ, ‘‘ଯୋଜନା ଅନୁଯାୟୀ କେନ୍ଦ୍ର, ରାଜ୍ୟଙ୍କୁ ଜୈବିକ ସାରକୁ ପ୍ରୋତ୍ସାହନ ଦେବା ପାଇଁ ରାସାୟନିକ ସାରର ବ୍ୟବହାରକୁ କମ୍ କରିବା ପାଇଁ ପ୍ରୋତ୍ସାହନ ଦେବେ।’’ ସେ ଉଦାହରଣ ଦେଇ କହିଛନ୍ତି ଯେ, ଯଦି କୌଣସି ରାଜ୍ୟ ୧୦ ଲକ୍ଷ ଟନ ସାର ବ୍ୟବହାର କରୁଛନ୍ତି ଏବଂ ସେ ଏହି ପରିମାଣକୁ ତିନି ଲକ୍ଷ ଟନ୍‌ କମ୍ କରିପାରିବାରେ ସଫଳ ହେଉଛନ୍ତି ‌ତେବେ ୩ ହଜାର କୋଟି ଟଙ୍କାର ସବସିଡି ବଞ୍ଚିବ। ଆଉ ଏହି ବଳକା ସବସିଡି ମଧ୍ୟରୁ ୫୦ ପ୍ରତିଶତ ଅର୍ଥାତ ୧୫୦୦ କୋଟି ଟଙ୍କା ସେହି ରାଜ୍ୟକୁ ବୈକଳ୍ପିକ ସାରର ଉପଯୋଗ ଏବଂ ଅନ୍ୟ ବିକାଶ ପାଇଁ ଦିଆଯିବ।’’

ଏହି ଯୋଜନା ପୃଥିବୀ ମାତାର ପୁନଃସ୍ଥାପନା, ଜାଗୃକତା, ପୋଷଣ ଏବଂ ସୁଧାର କାର୍ଯ୍ୟକ୍ରମ (PRANAM) ପାଇଁ। ଏହି ଯୋଜନା ବୈକଳ୍ପିକ ସାର ଏବଂ ରାସାୟନିକ ସାରର ସନ୍ତୁଳିତ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରୋତ୍ସାହିତ କରିବା ପାଇଁ ରହିଛି। ଏହା ସହ କେନ୍ଦ୍ର ସରକାର ୟୁରିଆ ଗୋଲ୍ହ ମଧ୍ୟ ଲଞ୍ଚ କରିଛନ୍ତି। ଏହା ଦ୍ବାରା ମାଟିରେ ସଲଫର ଅଭାବର ସମାଧାନ କରାଯାଇପାରିବ ଏବଂ ଏହାଦ୍ବାରା ଚାଷୀଙ୍କ ଖର୍ଚ୍ଚ ମଧ୍ୟ କମିବ।

ଆହୁରି ପଢ଼ନ୍ତୁ: ଆଖୁଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର; କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବଢ଼ିଲା ଏଫଆର୍‌ପି ମୂଲ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.