ପ୍ରଧାନମନ୍ତ୍ରୀଙ୍କ ଆଦେଶ : ଦେଶର ୮୮ଟି ମନ୍ତ୍ରାଳୟଙ୍କ ୪୫ଲକ୍ଷ କର୍ମଚାରୀ ପ୍ରମାଣିତ କରିବେ ପ୍ରଶାସନରେ ସେମାନଙ୍କର ଆବଶ୍ୟକତା

Published By : Prameya-News7 Bureau | October 02, 2019 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ୪୫ଲକ୍ଷ କର୍ମଚାରୀଙ୍କ ଉପଯୋଗୀତା ସମୀକ୍ଷା ଲାଗି ଏକ ବିଶାଳ ପଦକ୍ଷେପ ନେଇଛନ୍ତି । ଏଥିରେ ୮୮ ମନ୍ତ୍ରାଳୟ ଓ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବିଶାଳ କାର୍ଯ୍ୟବଳ ଭର୍ତ୍ତି ଯୋଜନା ସମୀକ୍ଷା ବୋଲି କୁହାଯାଉଛି।  ଦେଶର କୌଣସି ପ୍ରଧାନମନ୍ତ୍ରୀ ଏଯାଏଁ ସରକାରୀ ଭାବେ ଏତେବଡ ସମୀକ୍ଷା ଦୂରର କଥା ସେ ବାବଦରେ କେବେ ଚିନ୍ତା ବି କରିନାହାନ୍ତି।  ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦେଶର ବେକାରୀ ଦୂରିକରଣ ଓ ନୂତନ ନିଯୁକ୍ତି ଲାଗି ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। 

ଏହି ପ୍ରଶାସନିକ ସଂସ୍କାର ଦ୍ୱାରା ନୂଆ ନିଯୁକ୍ତି ସୃଷ୍ଟି ହେବ। କାରଣ ସମୟ ବଦଳିବା ସହ ସରକାରଙ୍କ କାର୍ଯ୍ୟଶୈଳୀ ମଧ୍ୟ ବଦଳିଛି। ତେବେ ପୁରୁଣା କାର୍ଯ୍ୟ ଶୈଳୀରେ ଏତେ ସଂଖ୍ୟକ ଲୋକଙ୍କ ଆବଶ୍ୟକତା ଏବେ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏ ନେଇ କର୍ମଚାରୀ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଗତ ସେପ୍ଟେମ୍ବର ୧୭ ତାରିଖରେ ଏକ ଅଧିସୂଚନା ଜାରି କରିଥିଲେ। ଯାହା ବିଭାଗର ୱେବସାଇଟ୍ ରେ ପ୍ରଦର୍ଶିତ ହେଉଛି। ଯେଉଁଥିରେ କାର୍ଯ୍ୟବଳ ନିୟୋଜନ ଓ ନୀତି ପ୍ରସ୍ତୁତି ଲାଗି ସରକାରଙ୍କ ବିଭିନ୍ନ ସେବାରେ ନିୟୋଜିତ ପଦବୀର ପ୍ରୋଫାଇଲ ପ୍ରସ୍ତୁତ କରିବାକୁ କୁହାଯାଇଥିଲା।  ଏଥି ନିମନ୍ତେ ବିଭାଗମାନଙ୍କୁ ସେପ୍ଟେମ୍ବର ୩୦ ତାରିଖ ଶେଷ ଦିନ ଧାର୍ଯ୍ୟ ହୋଇଥିଲା। ଏହା ସହ ଭବିଷ୍ୟତକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ସେମାନଙ୍କର ଚାକିରୀର ଉପଯୋଗୀତା ଓ ଉଦ୍ଦେଶ୍ୟ ପ୍ରତି ଦାୟିତ୍ୱବାନ ହେବାକୁ ବି ପରାମର୍ଶ ଦିଆଯାଇଥିଲା। 

ଡିଓପିଟିଙ୍କ ଅଧିସୂଚନାରେ ପ୍ରତ୍ୟେକ କର୍ମଚାରୀଙ୍କୁ ସେମାନଙ୍କ ପଦବୀ ଓ କାର୍ଯ୍ୟାଳୟରେ ସେମାନଙ୍କର ଉପଯୋଗୀତା ସାଙ୍ଗକୁ ଆବଶ୍ୟକତା ସମ୍ପର୍କରେ ମଧ୍ୟ କାଗଜରେ ଲେଖି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ସେହିପରି ବିଭାଗମାନଙ୍କୁ ସେମାନଙ୍କର ଏତେ ବିଶାଳ କର୍ମଚାରୀଙ୍କ ସଂରଚନାର ଆବଶ୍ୟକତା ନେଇ ମଧ୍ୟ ବୁଝାଇବାକୁ ନିର୍ଦ୍ଦେଶରେ କୁହାଯାଇଥିଲା। ଏହା ଛଡା ସରକାର ଏବେ ଅବସର ସମୟ ହ୍ରାସ କରିବା, କର୍ମଚାରୀଙ୍କ ଶିଥିଳତା ଦୂର କରିବା ସହ ପ୍ରମୋସନ ପ୍ରୋତ୍ସାହନ ଲାଗି ସେବା ଅବଧିରେ ସଂଶୋଧନର ମଧ୍ୟ ବିଚାର କରୁଛନ୍ତି। ତେବେ ଏହା ଏବେ ପ୍ରାରମ୍ଭିକ ଅବସ୍ଥାରେ ଥିବା ବେଳେ କର୍ମଚାରୀଙ୍କ ବେତନ ବାବଦ ଖର୍ଚ୍ଚ ହ୍ରାସ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡିଛି।

ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବି ଅବସର ପ୍ରସ୍ତାବ ଘୁରିବୁଲୁଛି। ଯେଉଁମାନେ ୩୩ ବର୍ଷ ସେବା ଦେଇ ସାରିଲେଣି ଅଥବା ୫୮ ବର୍ଷ ବୟସରେ ପହଞ୍ଚି ସାରିଛନ୍ତି ସେମାନଙ୍କୁ ଅବସର ଦେବାକୁ ଏବେ ଯୋଜନା କରାଯାଉଛି। ଏବେ ଦେଶରେ ଅବସର ବୟସ ୬୦ ବର୍ଷ ଥିବା ବେଳେ ଡାକ୍ତର ଓ ଅନ୍ୟ ପେଷାଦାର ଚାକିରୀରେ ଏହି ସମୟ ସୀମା ୬୫ ବର୍ଷ ପର୍ଯ୍ୟନ୍ତ ରହିଛି। ଏହା ବାଦେ ବି ଯଦି କୌଣସି କର୍ମଚାରୀ ସେବା ଦେବା ଲାଗି ଚାହାନ୍ତି ତେବେ ତାଙ୍କ ବେତନ ପ୍ରଭାବିତ ହେବ ବୋଲି ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.