ଫୋକସରେ ପଶ୍ଚିମ ଓଡିଶା, ୩ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

Published By : Prameya-News7 Bureau | May 11, 2024 IST

ଭୁବନେଶ୍ୱର ୧୧।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶନିବାର ଦିନ ପଶ୍ଚିମ ଓଡିଶାରେ ୩ଟି ଜନସଭା ରହିଛି । କନ୍ଧମାଳ, ବଲାଙ୍ଗିର ଏବଂ ବରଗଡ଼ରେ ସାଧାରଣ ସଭାକୁ ସମ୍ବୋଧନ କରିବେ ମୋଦି। ବିଜେପି ପ୍ରାର୍ଥୀ ଏବଂ କର୍ମୀଙ୍କ ମନୋବଳ ବଢାଇବେ। ମୋଦି କଣ କହିବେ ତାହା ଉପରେ ପୂରା ଓଡ଼ିଶା ନଜର ରଖିଛି। 

ଶନିବାର ସକାଳୁ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କନ୍ଧମାଳ ଯିବେ ମୋଦି। ପରେ ସକାଳ ୧୦ଟା ୨୦ରେ ଗୁଦାରୀ ସ୍ଥିତ ଏୟାରଷ୍ଟ୍ରିପ୍ ରେ ଅବତରଣ କରି ସଡ଼କ ପଥରେ କନ୍ଧମାଳ ଷ୍ଟାଡିୟମକୁ ଆସିବେ । ଫୁଲବାଣୀରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ୧୧ଟା ୨୫ରେ ଫୁଲବାଣୀ ଛାଡିବେ । ସେଠାରୁ ମୋଦି ୧୨ଟା ୫ରେ ବଲାଙ୍ଗିର ପଥରଚେପା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସାଧାରଣ ସଭାରେ ଯୋଗ ଦେବେ। ଏଠାରେ ୪୦ମିନିଟ୍ ରହିବା ପରେ ବରଗଡ଼ ଜିଲ୍ଲା ଅଭିମୁଖେ ଯିବେ । ୯ ବର୍ଷ ପରେ ବରଗଡ଼ ଜିଲ୍ଲାକୁ ଏହା ପ୍ରଧାନମନ୍ତ୍ରୀଙ୍କ ଗସ୍ତ। ଦିନ ଗୋଟାଏରେ ବରଗଡ଼ ବିକାଶ ଗ୍ରାଉଣ୍ଡରେ ସେ ଅବତରଣ କରିବେ। ବରଗଡ଼ ଟୋଲ ପ୍ଲାଜା ପାଖରେ ଥିବା ପଡ଼ିଆରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ୨୦୧୬ ରେ ବରଗଡ଼ ଆସି ଚାଷୀଙ୍କ ପାଇଁ ମୋଦି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଏଥର ବରଗଡ଼ରେ ପ୍ରଧାନମନ୍ତ୍ରୀ କଣ କହୁଛନ୍ତି ଏହାକୁ ବିଜେପି କର୍ମୀ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଆଖିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.