ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ : ପଶ୍ଚିମ ଓଡିଶାକୁ ୧୫ଶହ ୪୫କୋଟି ଟଙ୍କାର ଉପହାର ଦେବେ ମୋଦି
15/01/2019 at 8:36 AM

ବଲାଙ୍ଗିର ୧୫|୧: ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ପଶ୍ଚିମ ଓଡିଶା। ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ। ମୋଦିଙ୍କ ଗସ୍ତ ପାଇଁ ବିଜେପି ନେତା ଏବଂ କର୍ମୀଙ୍କ ଭିତରେ ଜୋଶ୍ ଦେଖିବାକୁ ମିଳିଛି । ସମସ୍ତଙ୍କ ଆଶା ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ କାମ କରିବ ମୋଦି ମ୍ୟାଜିକ୍ ।

ଗେରୁଆମୟ ହୋଇ ପଡିଛି ବଲାଙ୍ଗିର । କାହିଁକିନା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସିନା ପଶ୍ଚିମ ଓଡ଼ିଶା, ହେଲେ ପୁରା ରାଜ୍ୟକୁ ଛୁଇଁବେ ମୋଦି । ମାନେ ସାଢ଼େ ୯ଟାରେ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସୁଇଚ୍ ଟିପି ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହାପରେ ପଥର ଚେପାସ୍ଥିତ ପଡ଼ିଆରେ ଆୟୋଜିତ ସମାବେଶର ଜନସାଧାରଣଙ୍କୁ ଉଦବୋଧନ ଦେବେ । ସମସ୍ତଙ୍କ ନଜର ଏବେ ମୋଦିଙ୍କ ଭାଷଣ ଉପରେ । କେଉଁ ଷ୍ଟାଇଲ୍ ରେ ରାଜ୍ୟ ସରକାରଙ୍କୁ ଆଟାକ୍ କରିବେ ମୋଦି ତାକୁ ଏବେ ଅପେକ୍ଷା ।

ଆଜି ମୋଦିଙ୍କ ଗସ୍ତ ପାଇଁ ପୁରା ରେଡି ବଲାଙ୍ଗିର । ସହରର ବିଭିନ୍ନ ସ୍ଥାନରେ ୯ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫୦ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏନଏସଜି, ଏସପିଜି, ବ୍ଳାକ କ୍ୟାଟ୍, ଏସଓଜି, ଓଏସଏପି, ଆଇଆରବି, କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ବି ପୁରା ପ୍ରସ୍ତୁତ ।