ବଲାଙ୍ଗିର ୧୪|୧: ୧୫ରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହା ପରେ ମୋଦି ଭାରତୀୟ ଜନତା ପାର୍ଟିର ବିଶାଳ ସମାବେଶରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ। ମୋଦିଙ୍କ ଗସ୍ତ ନେଇ ବିଜେପିର ବରିଷ୍ଠ ନେତାଙ୍କଠାରୁ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଗୋଟିଏ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୩ ଥର ଓଡ଼ିଶା ଗସ୍ତ କରିଛନ୍ତି। ଗତ ଡିସେମ୍ବର ୨୪ରେ ସେ ଖୋର୍ଦ୍ଧା ଓ ଚଳିତ ମାସ ୫ ତାରିଖରେ ବାରିପଦା ଗସ୍ତ କରିଥିଲେ । ମୋଦିଙ୍କ ୩ଟି ଗସ୍ତରେ ଓଡ଼ିଶାକୁ ୨୦,୮୦୧ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଅନେକ ଗୁଡ଼ିଏ ପ୍ରକଳ୍ପ ମିଳିଛି ।
ଗସ୍ତ ଅବସରରେ ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପ ସମେତ ସଂସ୍କୃତି ମନ୍ତ୍ରଣାଳୟର ୩ଟି, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୋଟିଏ ଲେଖାଏଁ ପ୍ରକଳ୍ପ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର କରିବେ। ଏଥିରେ କେବଳ ରେଳ ମନ୍ତ୍ରଣାଳୟର ୧୫୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ରହିଛି। ଝାରସୁଗୁଡ଼ା-ବିଜୟନଗରମ୍ ଓ ସମ୍ବଲପୁର-ଅନୁଗୁଳର ରେଳଲାଇନ୍ର ଇଲେକ୍ଟ୍ରିଫିକେସନ୍ କାମର ଉଦ୍ଘାଟନ ହେବ। ୮୧୩ କିମି ଏହି ରେଳ ଲାଇନ୍ ପାଇଁ ୧୦୮୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ସେହିପରି ଝାରସୁଗୁଡ଼ାଠାରେ ୧୦୦ କୋଟି ଟଙ୍କାର ମଲ୍ଟି ମଡେଲ୍ ଲଜିଷ୍ଟିକ୍ ପାର୍କ, ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବଲାଙ୍ଗୀର-ବିଚ୍ଛୁପାଲ୍ଲୀ ନୂଆ ରେଳ ଲାଇନ୍, ୧୮୯.୩୨ କୋଟି ଟଙ୍କା ବ୍ୟୟରେ ବରଗଡ଼ର ବରପାଲ୍ଲୀ-ଡୁଙ୍ଗରିପାଲ୍ଲି, ବଲାଙ୍ଗୀର-ଦେବଗଡ଼ ରୋଡ୍ର ୩୧.୫୬ କିମି ରେଳ ଲାଇନ୍ରେ ଦୋହରିକରଣ, ୨୭.୪୫ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହୋଇଥିବା ରାୟଗଡ଼ାର ଥେରୁବାଲି-ସିଂଘପୁର ରୋଡ୍ ଷ୍ଟେସନ ମଧ୍ୟରେ ପୋଲ ଉଦ୍ଘାଟନ ହେବ।