ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଦୀପୋତ୍ସବରେ ହେବ ରେକର୍ଡ, ୧୮ ଲକ୍ଷ ଦୀପରେ ଚମକିବ ରାମ ନଗରୀ

Published By : Prameya-News7 Bureau | October 22, 2022 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ଅବସରରେ ରବିବାର ଅଯୋଧ୍ୟାରେ ଦୀପୋତ୍ସବରେ ସାମିଲ ହେବେ । ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆସିବା ପରଠାରୁ ପ୍ରତି ବର୍ଷ ଦୀପୋତ୍ସବ ବଡ଼ ଆଡମ୍ୱର ସହ ପାଳନ କରାଯାଏ । ଚଳିତ ଦୀପାବଳିରେ ଅଯୋଧ୍ୟାରେ ପ୍ରାୟ ୧୮ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ ଏବଂ ଗିନିଜ ୱାର୍ଲଡ ରେକର୍ଡ କରିବା ପାଇଁ ପ୍ରସ୍ତୁତ କରାଯାଉଛି । ପିଏମ ମୋଦୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ରଙ୍ଗାରଙ୍ଗା କାର୍ଯ୍ୟକ୍ରମ, ଲେଜର ସୋ ଏବଂ ରାମଲୀଲା ଆୟୋଜନ କରାଯିବ । ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆୟୋଜନରେ ସାମିଲ ହେବେ । କରୋନା କାଳ ପରେ ଏହା ପ୍ରଥମ ଆୟୋଜନ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ପିଏମ ମୋଦୀ ସରଜୁ କୂଳରେ ଏକ ଭବ୍ୟ ମ୍ୟୁଜିକାଲ ଲେଜର ସୋ ସହ ଥ୍ରି-ଡି ହୋଲୋଗ୍ରାଫିକ ପ୍ରୋଜେକସନ ମ୍ୟାପିଂ ସୋ ଦେଖିବେ। ଅଯୋଧ୍ୟାରେ ଷଷ୍ଠ ଥର ପାଇଁ ଦୀପୋତ୍ସବର ଆୟୋଜନ ଧୁମଧାମରେ ଆୟୋଜନ କରାଯିବ ।

ସରଜୁ ନଦୀ କୂଳରେ ୨୨ ହଜାର ସ୍ୱଂୟସେବକ ୧୫ ଲକ୍ଷ ମାଟି ଦୀପ ପ୍ରଜ୍ୱଳନ କରିବେ । ବଳକା ଦୀପ ଗୁଡିକୁ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ପ୍ରଜ୍ୱଳନ କରାଯିବ । ଦୀପୋତ୍ସବର ଏହି ମୁଖ୍ୟ ଆୟୋଜନ ସମୟରେ ଦିନରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ବିତାଇବେ। ଏହାସହ ଶ୍ରୀ ରାମଙ୍କ ରାଜ୍ୟାଭିଷେକ କରାଇବେ । ଏହାପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ନରୀକ୍ଷଣ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପ୍ରାୟ ୪ ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନାର ଲୋକାର୍ପଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.