ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରିବେ ସ୍ଥିତି ସମୀକ୍ଷା
3/06/2023 at 3:52 PM

ଭୁବନେଶ୍ବର ୩।୬: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟର ଯୋଗେ ଆସି ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ରେଳ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବେ । ଅଫିସରମାନଙ୍କ ସହ କଥା ହୋଇ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ମଧ୍ୟ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ମଧ୍ୟ ଆସିଛନ୍ତି । ବାହାନଗାରୁ ବାଲେଶ୍ବର ହସ୍ପିଟାଲ ଯିବେ ପ୍ରଧାନମନ୍ତ୍ରୀ ।
ବାହାନଗା ଆସିବା ପୂର୍ବରୁ ଟ୍ରେନ୍ ଦୁର୍ଘଟଣା ନେଇ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକାରୀଙ୍କ ସହ ବାହାନଗା ଦୁର୍ଘଟଣାର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକରେ ସାମିଲ ଥିଲେ । ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ବାଲେଶ୍ୱର ବାହାନଗା ଦୁର୍ଘଟଣାସ୍ଥଳ ଗସ୍ତ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାସ୍ଥଳ ବୁଲିବା ସହ ପରିସ୍ଥିତି କଣ ରହିଛି ତାହା ଦେଖିଥିଲେ । ମମତା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ କହିଥିଲେ, ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଦୁର୍ଘଟଣା । ୧୯୮୧ରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏହି ଟ୍ରେନରେ କୌଣସି ଆଣ୍ଟି କୋଲିସନ ଡିଭାଇସ୍ ନଥିଲା । ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା । ଯଦି ଏହା ଥାଆନ୍ତା ତେବେ ହୁଏତ ଦୁର୍ଘଟଣାରୁ ବର୍ତ୍ତି ଯାଇଥାନ୍ତା । ତେବେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ।
You Can Read :