ଆଧ୍ୟାତ୍ମିକ ଯାତ୍ରାର ପୂଣ୍ୟ ଏବଂ ଜୀବନ୍ତ ପ୍ରତୀକ, ଏକତାର ମହାଯଜ୍ଞ ‘ମହାକୁମ୍ଭ’; ପିଏମ୍ ମୋଦୀ

Published By : Prameya-News7 Bureau | December 13, 2024 IST

ନୂଆଦିଲ୍ଲୀ: ୨୦୨୫ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ମହାକୁମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜ ପହଞ୍ଚି, ସେଠାରେ ଅନେକ ବିକାଶ ପରିଯୋଜନାର ଉଦ୍‌ଘଟାନ ଏବଂ ଶିଳାନ୍ୟାସ କରିଛନ୍ତି । ଏହାସହ ପ୍ରୟାଗରାଜ ମାଟିରୁ ପିଏମ୍ ମୋଦୀ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି । ପିଏମ୍ କହିଛନ୍ତି, 'ମହାକୁମ୍ଭ ଆମ ଆସ୍ଥା, ଆଧ୍ୟାତ୍ମ ଏବଂ ସଂସ୍କୃତିର ଦିବ୍ୟ ମହୋତ୍ସବ ଅଟେ । ଏହାର ପ୍ରସ୍ତୁତି ସମୀକ୍ଷା ଏବଂ ବିଭିନ୍ନ କାର୍ଯ୍ୟର ଲୋକାର୍ପଣ ପାଇଁ ପ୍ରୟାଗରାଜର ପବିତ୍ର ଭୂମିକୁ ଆସିଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରିଛୁ ।'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକୁମ୍ଭକୁ ସଫଳ କରିବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି । ପିଏମ୍ ମୋଦୀ କହିଛନ୍ତି, ପ୍ରୟାଗରାଜରେ ସଙ୍ଗମର ଏହି ପବିତ୍ର ଭୂମିକୁ ମୁଁ ଶ୍ରଦ୍ଧାପୂର୍ବକ ନମନ କରୁଛି । ମହାକୁମ୍ଭ ପାଇଁ ଆସୁଥିବା ସାଧୁସନ୍ଥଙ୍କୁ ବି ପ୍ରଣାମ ଜଣାଉଛି । ମହାକୁମ୍ଭକୁ ସଫଳ କରାଇବା ପାଇଁ ଦିନ ରାତି ପରିଶ୍ରମ କରୁଥିବା କର୍ମଚାରୀ, ଶ୍ରମିକ ଏବଂ ସଫେଇକର୍ମୀଙ୍କୁ ବିଶେଷ ରୂପେ ଅଭିନନ୍ଦନ ଜଣାଉଛି । ବିଶ୍ୱର ସବୁଠୁ ବଡ଼ ଆୟୋଜନ, ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ଏବଂ ସେବା ପାଇଁ ପ୍ରସ୍ତୁତି । ଲଗାତାର ୪୫ ଦିନ ଯାଏ ଚାଲିବାକୁ ଥିବା ମହାଯଜ୍ଞ । ଏକ ନୂଆ ସହର ନିର୍ମାଣର ମହାଅଭିଯାନ ମାଧ୍ୟମରେ ପ୍ରୟାଗରାଜର ଏହି ଭୂମି ଏକ ନୂଆ ଇତିହାସ ରଚିବାକୁ ଯାଉଛି ।

ପିଏମ୍ ମୋଦୀ କହିଛନ୍ତି, 'ଏହା ଏକତାର ଏପରି ଏକ ମହାଯଜ୍ଞ ହେବ, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ହେବ ।  ମୁଁ ଏହି ଆୟୋଜନର ଭବ୍ୟ ଏବଂ ଦିବ୍ୟ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଆମ ଭାରତ ପବିତ୍ର ସ୍ଥାନ ଏବଂ ତୀର୍ଥର ଦେଶ । ଏହା ଗଙ୍ଗା, ଯମୁନା, ସରସ୍ୱତୀ, କାବେରୀ ଏବଂ ନର୍ମଦା ପରି ଅଗଣିତ ପବିତ୍ର ନଦୀର ଦେଶ । ଏହି ନଦୀଗୁଡ଼ିକର ପ୍ରବାହରେ ଯେଉଁ ପବିତ୍ରତା ରହିଛି, ଏହି ସବୁକୁ ଲାଗିଥିବା ତୀର୍ଥ କ୍ଷେତ୍ରର ଯେଉଁ ମହତ୍ୱ ରହିଛି, ଯେଉଁ ମହାତ୍ମ୍ୟ ଅଛି, ସେସବୁର ପ୍ରତାପ ହେଉଛି ପ୍ରୟାଗ । ପ୍ରୟାଗର କୋଣଅନୁକୋଣ ପବିତ୍ର ସ୍ଥାନ ।'

ପିଏମ୍ ମୋଦୀ କହିଛନ୍ତି, 'ମହାକୁମ୍ଭ ହଜାର ବର୍ଷ ପୂର୍ବରୁ ଚାଲି ଆସିଥିବା ଆମ ଦେଶର ସାଂସ୍କୃତିକ, ଆଧ୍ୟାତ୍ମିକ ଯାତ୍ରାର ପୂଣ୍ୟ ଏବଂ ଜୀବନ୍ତ ପ୍ରତୀକ ଅଟେ । ଏପରି ଏକ ଆୟୋଜନ ଯେଉଁଠି ସବୁବେଳେ ଧର୍ମ, ଜ୍ଞାନ, ଭକ୍ତି ଏବଂ କଳାର ଦିବ୍ୟ ସମାଗମ ହୁଏ । କୌଣସି ବାହାର ବ୍ୟବସ୍ଥା ପରିବର୍ତ୍ତେ କୁମ୍ଭ, ମନୁଷ୍ୟର ଅନ୍ତର୍ମନର ଚେତନାର ନାଁ ମଧ୍ୟ । ଏହି ଚେତନା ସ୍ୱତଃ ଜାଗୃତ ହୋଇଥାଏ । ଏହି ଚେତନା ଭାରତର କୋଣଅନୁକୋଣରୁ ସଙ୍ଗମ ତଟ ଯାଏ ଲୋକଙ୍କୁ ଆଣିଥାଏ । ତେଣୁ ଏହି ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.