‘ମାଆ କେବଳ ସନ୍ତାନକୁ ଜନ୍ମ ଦେଇ ନଥାନ୍ତି, ବରଂ ଏହାର ମସ୍ତିଷ୍କ, ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସକୁ ଆକାର ଦେଇଥାନ୍ତି’, ମୋଦୀଙ୍କୁ ମୋଦୀ କରିବାରେ ହୀରାବେନଙ୍କ ଅବଦାନ
30/12/2022 at 9:01 PM

ନୂଆଦିଲ୍ଲୀ: ‘ମାଆ କେବଳ ସନ୍ତାନକୁ ଜନ୍ମ ଦେଇ ନଥାନ୍ତି, ବରଂ ଏହାର ମସ୍ତିଷ୍କ, ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସକୁ ଆକାର ମଧ୍ୟ ଦେଇଥାନ୍ତି । ଏଥିରେ ସନ୍ଦେହ ନାହିଁ ଯେ ମୋର ଜୀବନ ଏବଂ ଚରିତ୍ରରେ ଯାହା କିଛି ଭଲ ଅଛି, ତାର ଶ୍ରେୟ ମୋର ମାଆଙ୍କୁ ଯାଉଛି’ । ନିଜ ମାଆଙ୍କ ପାଇଁ ଏ ବୟାନ ହେଉଛି ପିଏମ ନରେନ୍ଦ୍ର ମୋଦୀଙ୍କର । ମାଆଙ୍କ ୧୦୦ତମ ଜନ୍ମଦିନ ଅବସରରେ ଗୋଟିଏ ବ୍ଲଗ ଲେଖି ପିଏମ ମୋଦୀ ଏହା କହିଥିଲେ । ଏବେ ହୀରାବେନ ଆଉ ନାହାନ୍ତି । ଅହମଦାବାଦରେ ତାଙ୍କର ଦେହାନ୍ତ ହୋଇଛି, କିନ୍ତୁ ତାଙ୍କ ଜୀବନ କାହାଣୀ ଏବେ ଜୀବିତ ।
ସକାଳ ୪ଟାରେ ଉଠୁଥିଲେ, ସବୁ କାମ ନିଜେ କରୁଥିଲେ
ପିଏମ ମୋଦୀ ନିଜର ବ୍ଲଗରେ ଲେଖିଥିଲେ ମୋର ବାପା ସକାଳ ଚାରିଟାରୁ କାମକୁ ଚାଲି ଯାଉଥିଲେ । ତାଙ୍କ ପାଦ ଶବ୍ଦରେ ପଡୋଶୀ ଜାଣୁଥିଲେ ଯେ ସକାଳ ୪ଟା ହୋଇଛି ଏବଂ ଦାମୋଦର କାକା କାମକୁ ବାହାରିଛନ୍ତି । ସେ ନିଜ ଛୋଟିଆ ଚା ଦୋକାନ ଖୋଲିବା ପୂର୍ବରୁ ମନ୍ଦିରକୁ ଯାଇ ପ୍ରାର୍ଥନା କରୁଥିଲେ । ମୋର ମାଆ ମଧ୍ୟ ସମୟର ପକ୍କା ଥିଲେ । ସେ ମଧ୍ୟ ବାପାଙ୍କ ସହ ଉଠୁଥିଲେ ଏବଂ ସକାଳୁ ହିଁ ସବୁ କାମ ସାରୁଥିଲେ । ସବୁ କାମ ନିଜେ କରୁଥିଲେ । କେବେ ମଧ୍ୟ କାହାରି ସହାୟତା ନେଇ ନଥିଲେ ।
ବିପରୀତ ପରିସ୍ଥିତିରେ ସହନଶୀଳ, ଛାତରୁ ପଡୁଥିବା ପାଣିର ବ୍ୟବହାର କରୁଥିଲେ
୨୦୨୨ ଜୁନ ୧୮ରେ ଏକ ବ୍ଲଗରେ ପିଏମ ମୋଦୀ ଲେଖିଥିଲେ ଯେ ଘର ଖର୍ଚ୍ଚ ଚଳାଇବା ପାଇଁ ମାଆ କିଛି ଘରେ ବାସନ ସଫା କରୁଥିଲେ । ଅତିରିକ୍ତ ଆୟ ପାଇଁ ଅରଟ ଚଲାଉଥିଲେ । ମାଆ ଅନ୍ୟଙ୍କ ଉପରେ ନିର୍ଭର ରହିବା କିମ୍ୱା ଅନ୍ୟର ନିଜ କାମ କରିବା ପାଇଁ ଅନ୍ୟଙ୍କୁ ଅନୁରୋଧ କେବେ କରୁ ନଥିଲେ । ବର୍ଷା ଦିନରେ ଆମ ଛାତରୁ ପାଣି ପଡୁଥିଲା, ଘରେ ପାଣି ଭର୍ତ୍ତି ହେଉଥିଲା । ଏହି ପାଣିକୁ ଜମା କରିବା ପାଇଁ ତଳେ ବାସନ ରଖୁଥିଲେ । ଏହି ବିପରୀତ ପରିସ୍ଥିତିରେ ମଧ୍ୟ ମାଆ ସହନଶୀଳତାର ପ୍ରତୀକ ଥିଲେ । ପରେ ସେହି ପାଣିର ବ୍ୟବହାର ମଧ୍ୟ କରୁଥିଲେ । ଜଳ ସଂରକ୍ଷଣର ଏହାଠୁ ବଡ଼ ଉଦାହରଣ ଆଉ କଣ ହୋଇପାରେ ।
ସ୍ୱଚ୍ଛତାର ସମର୍ଥକ
ନିଜ ବ୍ଲଗରେ ପିଏମ ମୋଦୀ ଲେଖିଥିଲେ ଯେ ବିଛଣା ସଫା ଏବଂ ଠିକ୍ ଅଛି କି ନାହିଁ ତାହା ଉପରେ ମାଆ ଗୁରୁତ୍ୱ ଦେଉଥିଲେ । ବିଛଣାରେ ଟିକିଏ ବି ମଇଳାକୁ ସେ ଗ୍ରହଣ କରୁ ନଥିଲେ । ମୁଁ ଯେବେ ବି ତାଙ୍କୁ ଭେଟିବା ପାଇଁ ଗାନ୍ଧୀନଗର ଯାଉଥିଲି, ସେ ନିଜ ହାତରେ ମୋତେ ମିଠା ଖୁଉଆଥିଲେ । ଏହାପରେ ଏକ ରୁମାଲ ବାହାର କରି ପାଟି ପୋଛି ଦେଉଥିଲେ ।
ସଚ୍ଚୋଟ-ଅର୍ଥଶାସ୍ତ୍ରୀ: ୫ ହେଉ କି ଟଙ୍କାଟିଏ, ପରିବାର ଚଳାଇବା ଜାଣିଛନ୍ତି
ଏକ ସାକ୍ଷାତକାରରେ ପିଏମ ମୋଦୀଙ୍କ ଭାଇ ପ୍ରହ୍ଲାଦଭାଇ ପଟେଲ କହିଥିଲେ ଯେ ଯେତେବେଳେ ଆମ ବଡ଼ ଭାଇ କୌଣସି ଜିନିଷ ବାହାରୁ ଆଣିଲେ ମାଆ ତାଙ୍କୁ ଗାଳି କରିବା ସହ ଜିନିଷ ଫେରାଇବାକୁ କହୁଥିଲେ । ମାଆ ପାଖରେ ସଚ୍ଚୋଟତାର ଗୁଣି ଥିଲେ, ସେ ନିଜ ପିଲାଙ୍କୁ ମଧ୍ୟ ଦେଇଛନ୍ତି । ମାଆ ହୀରାବେନ ଅର୍ଥଶାସ୍ତ୍ରରେ ମଧ୍ୟ ମାହିର ଥିଲେ । ଖର୍ଚ୍ଚ ପାଇଁ ପାଞ୍ଚ ଟଙ୍କା ହେଉ କିମ୍ୱା ଟଙ୍କାଟିଏ, ସେ ଜାଣିଥିଲେ ଯେ ଘର ଖର୍ଚ୍ଚ କିପରି ଚାଲାଯିବ ।
ପିଏମ ମୋଦୀଙ୍କୁ ୧୮ ଘଣ୍ଟା କାମ କରିବା ପାଇଁ ପ୍ରେରଣା ମାଆଙ୍କ ଠାରୁ ମିଳିଛି
ପ୍ରହ୍ଲାଦ ପଟେଲ ଏକ ସାକ୍ଷାତକାରରେ କହିଥିଲେ ଯେ ଆମ ବାପା ପରିଶ୍ରମୀ ଥିଲେ ଏବଂ ମାଆ ସାରା ଦିନ କାମ କରୁଥିଲେ । ପିଏମ ମୋଦୀ ଦିନରେ ୧୮ ଘଣ୍ଟା କାମ କରୁଛନ୍ତି । ତାଙ୍କୁ ଏହି ପ୍ରେରଣା ମାଆ ହୀରାବେନଙ୍କ ଠାରୁ ମିଳିଛି । ସେ ପାଠ ପଢି ନଥିଲେ କିନ୍ତୁ ମୋର ବାପା ଦାମୋଦର ତାଙ୍କୁ ଧର୍ମିକ ପୁସ୍ତକ ପଢି ଶୁଣାଉଥିଲେ ।