୯୦ ବର୍ଷିୟ ବୃଦ୍ଧାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦୀ, ଫଟୋ ଭାଇରାଲ, ଜାଣନ୍ତୁ କିଏ ଏହି ମହିଳା

Published By : Prameya-News7 Bureau | July 04, 2022 IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପରେ ସୋମବାର ଆନ୍ଧ୍ର ପ୍ରଦେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆନ୍ଧ୍ର ପ୍ରଦେଶର ଭୀମାବରମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟ ଏକ ଫଟୋ ଏବେ ବେଶ ଭାଇରାଲ ହୋଇଛି । ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ସବୁ ପ୍ରୋଟକଲ ଭାଙ୍ଗି ଆନ୍ଧ୍ର ପ୍ରଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ପାସାଲା କ୍ରିଷ୍ଣା ମୂର୍ତ୍ତିଙ୍କ ଝିଅ ୯୦ ବର୍ଷିୟ ପାସାଲା କ୍ରିଷ୍ଣା ଭାରତୀଙ୍କ ଆଗରେ ହାତ ଯୋଡି ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଇଥିଲେ। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ଭଉଣୀ ଏବଂ ଝିଆରୀଙ୍କୁ ମଧ୍ୟ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଭୀମାବରମରେ ମହାନ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ୧୨୫ ତମ ଜୟନ୍ତୀ ସମାରୋହର ଶୁଭାରମ୍ଭ କରିଛନ୍ତି । ଏହି ସମାରୋହ ବର୍ଷ ତମାମ ଚାଲିବ। କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ହ୍ୱିଲ୍ ଚେୟାରରେ ବସିଥିବା ପାସାଲା କ୍ରିଷ୍ଣା ମୂର୍ତ୍ତିଙ୍କ ଝିଅଙ୍କ ନିକଟରେ ପହଞ୍ଚି ତାଙ୍କର ଆଶୀର୍ବାଦ ନେଇଥିଲେ।

ପାସାଲା କ୍ରିଷ୍ଣା ମୂର୍ତ୍ତି ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଦିଲ୍ଲାର ତାଡେପଲ୍ଲୀଗୁଡେମ ସହସିଲ ଅନ୍ତର୍ଗତ ବିପରୁ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ୧୯୦୦ ମସିହା ଜାନୁଆରୀ ୨୬ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। ଅଞ୍ଜଲକ୍ଷ୍ମୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ୧୯୨୧ ମସିହାରେ ଯେତେବେଳେ ସାରା ଦେଶରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ ସେତେବେଳେ ମହାତ୍ମା ଗାନ୍ଧୀ ବିଜୟୱାଡା ଗସ୍ତ କରିଥିଲେ। ସେହି ସମୟରେ କ୍ରିଷ୍ଣା ମୂର୍ତ୍ତି ଏବଂ ଅଞ୍ଜଲକ୍ଷ୍ମୀ କଂଗ୍ରେସରେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଅତୁଳନୀୟ।

ଦେଶ ସ୍ୱାଧୀନତା ପରେ ସେ ତାଡେପଲ୍ଲୀଗୁଡେମରେ ଇଣ୍ଡିପେଣ୍ଡେଣ୍ଟ ଫାଇଟର୍ସ ଆସୋସିଏସନ ଅଧ୍ୟକ୍ଷ ଭାରେ କାମ କରିଥିଲେ। ପରେ ଭାରତ ସରକାରଙ୍କ ସ୍ୱାଧୀନନତା ସଂଗ୍ରାମୀଙ୍କ ଦିଆଯାଉଥିବା ପେନସନକୁ ମନା କରିଥିଲେ। ୧୯୭୮ ମସିହା ସେପ୍ଟେମ୍ୱର ୨୦ରେ ତାଙ୍କର ବିୟୋଗ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.