ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ମୋଦୀ, ତୃତୀୟ ଥର ପିଏମ୍ ହେବା ପୂର୍ବରୁ ନେଲେ ଆଶୀର୍ବାଦ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳ ନେତା ରୂପେ ଚୟନ ହେବା ପରେ ନରେନ୍ଦ୍ର ମୋଦୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି । ନରେନ୍ଦ୍ର ମୋଦୀ ରବିବାର ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନରେ ବିଜେପିକୁ ଗତ ଏକ ଦଶନ୍ଧିରେ ପ୍ରଥମ ଥର ପାଇଁ ବହୁମତ ମିଳିପାରି ନାହିଁ । ଟିଡିପି-ଜେଡିୟୁ ସହ ଅନ୍ୟ ଛୋଟ ଦଳଙ୍କ ସହଯୋଗୀ ଦଳ ସହ ଏନଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଲାଲକୃଷ୍ଣ ଅଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିଥିଲେ । ଏହାପରେ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ଘରକୁ ଯାଇ ସେଠାରେ ତାଙ୍କ ଆଶୀର୍ବାଦ ନେଇଥିଲେ । ଅନ୍ୟପଟେ ଏନଡିଏ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟି ତୃତୀୟ ଥର ସରକାର ଗଢିବା ପାଇଁ ଦାବି ଉପସ୍ଥାପନ କରିଛି । ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ସମର୍ଥନର ଚିଠି ମଧ୍ୟ ଦେଇଛନ୍ତି । ଜୁନ୍ ୯ ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ ।


ସଂସଦ ଭବନର ପୁରୁଣା ବିଲ୍ଡିଂରେ ସ୍ଥିତ ସମ୍ୱିଧାନ କକ୍ଷରେ ଶୁକ୍ରବାର ଏନଡିଏର ବୈଠକ ହୋଇଥିଲା । ଏହି ବୈଠକରେ ବିଜେପିର ସମସ୍ତ ସହଯୋଗୀ ଦଳର ନେତା ଉପସ୍ଥିତ ରହିଥିଲେ । ଏନଡିଏ ସଂସଦୀୟ ଦଳ ବୈଠକ ଆରମ୍ଭ ହେବା ପରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳର ନେତା ଚୟନ ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ସବୁ ଦଳ ଏହାକୁ ଅନୁମୋଦନ କରିଥିଲେ । ଧ୍ୱନି ମତରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ସଂସଦୀୟ ଦଳର ନେତା ଚୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.