ପିଏମ୍ ମୋଦୀଙ୍କ ସହ ଫୋନରେ କଥା ହେଲେ ରାଷ୍ଟ୍ରପତି ପୁଟିନ, ୟୁକ୍ରେନ ସଂକଟ ଉପରେ କଲେ ଚର୍ଚ୍ଚା
16/12/2022 at 4:44 PM

ନୂଆଦିଲ୍ଲୀ: ୟୁକ୍ରେନ ସଂକଟ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଫୋନ ଯୋଗେ ପିଏମ ମୋଦୀଙ୍କ ସହ କଥା ହୋଇଛନ୍ତି । ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶର ରାଷ୍ଟ୍ରାଧ୍ୟାକ୍ଷ ୟୁକ୍ରେନ ସଂକଟ ସହ ବର୍ତ୍ତମାନର ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ।
ଅନ୍ୟପଟେ ପିଏମଓ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ପିଏମ୍ ମୋଦୀ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ଆଲୋଚନାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ସଂଘର୍ଷର ସମାଧାନ ପାଇଁ ଚର୍ଚ୍ଚା ଏବଂ କୁଟନୀତି ମାର୍ଗରେ ବଢିବା ଆହ୍ୱାନକୁ ଦୋହରାଇଛନ୍ତି।
ପିଏମଓ ଅନୁସାରେ, ପିଏମ ମୋଦୀ ଭାରତର ଜି-୨୦ ଅଧ୍ୟକ୍ଷତା ବାବଦରେ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ଦେଇଥିଲେ। ଏହାସହ ଏହାର ପ୍ରମୁଖ ପ୍ରାଥମିକତା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସଂଘାଇ ସହଯୋଗ ସଂଗଠନରେ ଭାରତର ଅଧ୍ୟକ୍ଷତାରେ ଦୁଇ ଦେଶ ଏକ ହୋଇ କାମ କରିବା ଉପରେ ଆଶା ପ୍ରକାଶ କରିଛନ୍ତି। ଏହାସହ ପିଏମ ମୋଦୀ ଏବଂ ପୁଟିନ ପରସ୍ପର ସହ ନିୟମିତ ସମ୍ପର୍କରେ ରହିବା ପାଇଁ ସହମତି ପ୍ରକାଶ କରିଛନ୍ତି।