ଟେଲିଫୋନରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ମୋଦି

Published By : Prameya-News7 Bureau | August 10, 2018 IST

ଭୁବନେଶ୍ୱର ୧୦/୮ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିଥିବାରୁ ସେ ଧନ୍ୟବାଦ ପ୍ରଦାନ କରିଛନ୍ତି | ସୂଚନାଯୋଗ୍ୟ ଯେ, ହରିବଂଶଙ୍କୁ ସମର୍ଥନ କରିବା ପାଇଁ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କୁ ଅନୁରୋଧ କରିଥିଲେ | କଂଗ୍ରେସ ଓ ବିଜେପି ଠାରୁ ସମାଦୁରତ ରକ୍ଷା କରୁଛୁ ବୋଲି କହୁଥିବା ବିଜୁ ଜନତା ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା | ରାଜ୍ୟସଭାରେ ବିଜୁ ଜନତା ଦଳର ୯ଟି ଭୋଟ ରହିଛି | ଏହି ଭୋଟ ଆଧାରରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ୧୨୫ ଟି ଭୋଟ ପାଇ କଂଗ୍ରେସ ସାଂସଦ ତଥା ୟୁପିଏ ପ୍ରାର୍ଥୀ ବି.କେ.ହରିପ୍ରସାଦ ପରାସ୍ତ ହୋଇଥିଲେ | ଏନଡିଏ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବା ଫଳରେ ରାଜ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଥିଲା | ରାଜନୈତିକ ପତ୍ରୀତମାନେ ବିଭିନ୍ନ ଆକଳନ ଏବଂ ଅଙ୍କକଷା ଆରମ୍ଭ କରିଛନ୍ତି | ଏଭଳି ସ୍ଥିତିରେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃତଜ୍ଞତା ଜ୍ଞାପନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି | ଏନଡିଏ ପ୍ରାର୍ଥୀଙ୍କୁ ନିର୍ବାଚନ ସମର୍ଥନ ନେଇ ମୂଳରୁ ହିଁ କଂଗ୍ରେସ ସମାଲୋଚନା କରି ଆସୁଛି ଏବଂ ବିଜେଡି-ବିଜେପି ମଧ୍ୟରେ ଚୋରା ପିରତି ଚାଲିଛି ବୋଲି ଅଭିଯୋଗ କରିସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.