ବିଜେପି ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ; ନିଜ ଅଞ୍ଚଳରେ ପୋଖରୀ ଖୋଳିବା ପାଇଁ ଶ୍ରମ ଦାନ କରନ୍ତୁ

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୦୫/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ନିଜନିଜ ଅଞ୍ଚଳରେ ପୋଖରୀ ଖୋଳିବାରେ ଶ୍ରମ ଦାନ କରିବା ପାଇଁ କହିଛନ୍ତି। ମଙ୍ଗଳବାର ଆମ୍ବେଦକର ଭବନରେ ହୋଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଏପରି କହିଛନ୍ତି। ଏହି ସଂସଦୀୟ ଦଳ ବୈଠକରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏପ୍ରିଲ ୭ତାରିଖରୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।   ସେ କହିଛନ୍ତି ଏବେ ତାପମାତ୍ରା ଧିରେ ଧିରେ ବଢ଼ୁଛି। ସେଥିପାଇଁ ଏବେ ଜଳ ସମସ୍ୟା ବଢ଼ିପାରେ। ସେଥିପାଇଁ ଆମ କାର୍ଯ୍ୟକର୍ତ୍ତା ଓ ନେତାମାନେ ସେମାନଙ୍କ ଅଞ୍ଚଳରେ ଅଧିକରୁ ଅଧିକ ପୋଖରି ଖୋଳିବା ପାଇଁଶ୍ରମ ଦାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସାମାଜିକ ନ୍ୟାୟ ସପ୍ତାହରେ ଅନେକ ପ୍ରକାର କାର୍ଯ୍ୟକ୍ରମ ହେବ ବୋଲି ପ୍ରହଲ୍ଲାଦଯୋଶୀ କହିଛନ୍ତି। ସେ କହିଛନ୍ତି ଗୋଟିଏ ଦିନ ଆମେ ଅଙ୍ଗନୱାଡ଼ିକୁ ଯିବୁ ଓ ଅନ୍ୟ ଏକ ଦିନ ପୋଖରୀ ସଫା କାମ ହେବ। ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ମଧ୍ୟ ଏହି କାମ କରିବା ପାଇଁ କହିଛନ୍ତି। ଏହା ପୂର୍ବରୁ ସାଂସଦମାନଙ୍କୁ ସେମାନଙ୍କ ଅଞ୍ଚଳରେ ୧୫ଦିନ ସେବା କାମ କରିବା ପାଇଁ କୁହାଯାଇଥିଲା।

ଡକ୍ଟର ଭିମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି । ଏହି ଦିନ ପ୍ରଧାନମନ୍ତ୍ରୀ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିବେ। ଏହା ବ୍ୟତିତ ଏପ୍ରିଲ ୭ ରେ ଆୟୁଷ୍ମାନ ଭାରତ ଯୋଜନାରେ ଜନଔଷଧୀ କେନ୍ଦ୍ର କାର୍ଯ୍ୟକ୍ରମ ହେବ। ଏପ୍ରିଲ ୮ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏପ୍ରିଲ ୯ରେ ହର ଘର ଜଲ ଓ ଏପ୍ରିଲ ୧୧ରେ ଯ୍ୟୋତିବା ଫୁଲେଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.