ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା; ଏହି ୭ ରାଜ୍ୟରେ ହେବ ମେଗା ଟେକ୍ସଟାଇଲ୍ ପାର୍କ

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗୁରୁତ୍ୱପୂର୍ଣ୍ଣ ଘୋଷଣା। ୭ ରାଜ୍ୟରେ ହେବ ମେଗା ଟେକ୍ସଟାଇଲ୍ ପାର୍କ। ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ପିଏମ୍‌ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନା କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି "ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍‌ ପାର୍କ ଟେକ୍ସଟାଇଲ୍ ସେକ୍ଟର 5F(ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫେସନ, ଫରେନ) ଅଭିଯାନକୁ ବଳ ଦେବ। ସୂଚନା ଦେଇ ଖୁସି ଲାଗୁଛି ଯେ ପିଏମ୍‌ ମିତ୍ର ମେଗା ଟେକ୍ସଟାଇନ୍ ପାର୍କ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ପ୍ରତିଷ୍ଠା କରାଯିବ।"

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି "ପିଏମ୍ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କ ଟେକ୍ସଟାଇଲ୍ ସେକ୍ଟରରେ ଅତ୍ୟାଧୁନିକ ମୂଳ ଭିତ୍ତି ପକାଇବ। କୋଟି କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ସହିତ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହା ମେକ୍ ଇନ୍‌ ଇଣ୍ଡିଆ ଓ ମେକ୍ ଫର୍‌ ଦି ୱାର୍ଲ୍ଡ ପାଇଁ ଏକ ବଡ଼ ଉଦାହରଣ ହେବ।"

ବର୍ତ୍ତମାନ ସୁଧା ଉତ୍ପାଦନ ସହଜଡ଼ିତ ପ୍ରୋତ୍ସାହନ ବାବଦରେ ଟେକ୍ସଟାଇଲ୍‌ ଇଣ୍ଡଷ୍ଟ୍ରୀରେ ୧୫୩୬ କୋଟି ନିବେଶ ହୋଇଛି ବୋଲି ବୟନ ଶିଳ୍ପ ମନ୍ତ୍ରଣାଳୟ କହିଛି। ଆତ୍ମନିର୍ଭର ଯୋଜନା ମାଧ୍ୟମରେ ଭାରତକୁ ଉତ୍ପାଦନକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱୀ କରାଇବା ପାଇଁ ଭାରତ ସରକାର ବିଭିନ୍ନ ଉତ୍ପାଦନରେ ଉତ୍ପାଦନସହ ଜଡ଼ିତ ପ୍ରୋତ୍ସାହନ(ପିଏଲ୍‌ଆଇ) ଘୋଷଣା କରିଛନ୍ତି। ଭାରତରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା , ଆମଦାନୀ ହ୍ରାସ କରି ରପ୍ତାନୀ ବଢ଼ାଇବା, ଆମଦାନୀ କମାଇବା ପାଇଁ ଭାରତକୁ ବିଶ୍ୱ ରପ୍ତାନୀକାରୀ ଦେଶଙ୍କ ଶୃଙ୍ଖଳାରେ ରଖିବା ପିଏଲ୍ଆଇର ଲକ୍ଷ୍ୟ।

ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଧ୍ୱୀତା ପାଇଁ ବୟନ ଶିଳ୍ପ ଉଦ୍ୟୋଗର ଅଭିବୃଦ୍ଧି କରିବାକୁ ସରକାର ୧୦,୬୮୩ କୋଟିର ଏକ ଆର୍ଥିକ ପ୍ୟାକେଜ୍ ସହ ଏକ ଯୋଜନା ଲଞ୍ଚ୍ କରିଛନ୍ତି। ବୟନଶିଳ୍ପ ପାଇଁ ପିଏଲ୍‌ଆଇ ସ୍କିମ୍‌ ଦ୍ୱାରା ପ୍ରୋତ୍ସାହନ ପାଇବାକୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା। ବିଭାଗୀୟ  ପୋର୍ଟାଲ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା। ୨୦୨୨ ଦାନୁଆରୀ ୧ରୁ ଫେବ୍ରୁଆରୀ ୨୮ ମଧ୍ୟରେ ୬୭ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ଚୟନ କର୍ତ୍ତା କମିଟି ମାତ୍ର ୬୪ଟି ଆବେଦନ ପତ୍ରକୁ ବାଚ୍ଛିଥିଲେ। 

ଚୟନ କରାଯାଇଥିବା ୬୪ ଆବେଦକଙ୍କ ମଧ୍ୟରୁ ୫୬ ଜଣ କମ୍ପାନୀ ପ୍ରତିଷ୍ଠା କରିବାକୁ ଥିବା ସମସ୍ତ ବାଧ୍ୟତାମୂଳକ ନିୟମକୁ ପାଳନ କରିଥିଲେ। ଏଥିପାଇଁ ସେମାନଙ୍କୁ ଅନୁମୋଦନ ପତ୍ର ଇସୁ କରାଯାଇଛି। ବର୍ଷ ଶେଷର ସମୀକ୍ଷା ସରିବା ପରେ ଏହି ସୂଚନା ଦେଇ ବୟନଶିଳ୍ପ ମନ୍ତ୍ରାଳୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.