କ-ରୋ-ନା: କୋଇ ରୋଡ୍ ପର ନା ନିକଲେ, ପ୍ରଧାନମନ୍ତ୍ରୀଙ୍କ ଭାଷଣର ୧୦ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ ୨୪।୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସକୁ ନେଇ ଦ୍ଵିତୀୟ ଥର ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି। ଜନତାକର୍ଫ୍ୟୁଙ୍କୁ ସମର୍ଥନ ଦେଇଥିବାରୁ ସେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଆଉ ଏକ ବଡ ନିଷ୍ପତ୍ତି ନେଇ ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଭାବେ ଲୋକ ଡାଉନ୍ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଆଜି ରାତି ମଧ୍ୟ ରାତ୍ରଠୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ଲକଡାନ  ହିନ୍ଦୁସ୍ଥାନକୁ ବଞ୍ଚାଇବା ପାଇଁ, ଆପଣଙ୍କ ଜୀବନ ରକ୍ଷା ପାଇଁ, ସମାଜ ପାଇଁ ଏବଂ ପୂରା ଦେଶକୁ ରକ୍ଷା କରିବା ପାଇଁ ଘୋଷଣା କରୁଛି।

୨୧ ଦିନ ଘରେ ରହୁନ୍ତୁ

ପ୍ରଧାନମନ୍ତ୍ରୀ କହିଛନ୍ତି ଜନତା କର୍ଫ୍ୟୁର ଏହା ହେଉଛି ପରବର୍ତ୍ତୀ ପଦକ୍ଷେପ। ଏହି ସଂପୂର୍ଣ୍ଣ ଲକଡାଉନ୍ ଏକ କର୍ଫ୍ୟୁ ପରି ହେବ। ଏହି ପଦକ୍ଷେପ ହିନ୍ଦୁସ୍ଥାନୀଙ୍କୁ ବଞ୍ଚାଇବା ପାଇଁ ନିଆଯାଇଛି। ଯଦି ଆଜି ଆପଣ ୨୧ ଦିନ ଦେବେ ନାହିଁ ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ବାହାରକୁ ବାହାରିବା କଣ ତାହା ୨୧ ଦିନ ଯାଏ ଭୁଲି ଯାଆନ୍ତୁ। କେବଳ ଘର ଭିତରେ ହିଁ ରୁହନ୍ତୁ।

ରୋଡ୍ ପର ନା ନିକଲେ

ମୁଁ ଏହି କଥା ପରିବାରର ସଦସ୍ୟ ଭାବେ କହୁଛି। କରୋନାର ଅର୍ଥ କୋ-କୋଇ, ରୋ-ରୋଡ୍ ପର, ନା- ନା ନିକଲେ।

ଯେଉଁଠି ଅଛ ସେଠି ଥାଅ

ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ହାତ ଯୋଡି ନିବେଦନ କରୁଛି ଯେ, ଯେଉଁ ଭାରତୀୟ ଯେଉଁଠି ବି ଅଛନ୍ତି ସେମାନେ ସେଠାରେ ରୁହନ୍ତୁ। କରୋନା ଭାଇରସର ମୁକାବିଲାର ସବୁଠୁ ବଡ ଉପାୟ ସେହି ଦେଶଠୁ ଶିଖନ୍ତୁ ଯେଉଁମାନେ ଏହାର ମୁକାବିଲା ପାଇଁ ମହତ୍ଵପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି।

ସେବା ଯୋଗାଉଥିବା  ଲୋଙ୍କ ବିଷୟରେ ଚିନ୍ତା କରନ୍ତୁ

ପ୍ରଧାନମନ୍ତ୍ରୀ ଏହା ମଧ୍ୟ  କହିଛନ୍ତି ୨୪ ଘଣ୍ଟା କାମ କରୁଥିବା ମିଡିଆ, ଡାକ୍ତର, ପୋଲିସକର୍ମୀ ଓ ଜରୁରୀ ସେବା ପ୍ରଦାନ କରୁଥିବା ସମସ୍ତ ଲୋକଙ୍କ ବିଷୟରେ ଚିନ୍ତା କରନ୍ତୁ ଯିଏ ଘର ପରିବାରଠୁ ଦୂରରେ ରହି ନିଜ ଜୀବନକୁ ବିପଦରେ ପକାଇ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ।

ସାମାଜିଦ ଦୂରତା ହିଁ କରୋନା ରୋକିବ

ଦୁନିଆର ସମସ୍ତ ଶକ୍ତିଶାଳୀ ଦେଶକୁ କରୋନା ମହାମାରୀ ବିବଶ କରି ଦେଇଛି। ସେମାନଙ୍କଠାରେ ସମ୍ବଳର ଅଭାବ ନାହିଁ। ମାତ୍ର କରୋନା ଭାଇରସ୍ ଏତେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଯେ ଏହାକୁ ରୋକିବାରେ ବଡ ବଡ ଦେଶ ଅସମର୍ଥ  ହୋଇଛନ୍ତି। ବଡ ବଡ ବିଶେଷଜ୍ଞ ମଧ୍ୟ ଏହି ମହାମାରୀର ମୁକାବିଲା ପାଇଁ  ଏ ପର୍ଯ୍ୟନ୍ତ କୌଣସି ଟୀକା ବାହାର କରି ପାରି ନାହାନ୍ତି। କରୋନାକୁ ରୋକିବାର ଏକ ମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ସାମାଜିକ ଦୂରତା ପ୍ରତ୍ୟେକ ନାଗରିକଙ୍କ ପାଇଁ, ଘରର ସମସ୍ତ ସଦସ୍ୟଙ୍କ ପାଇଁ ଏବଂ ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଅତି ଜରୁରୀ।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିବ

ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ଆବଶ୍ୟକ ସାମଗ୍ରୀର ଯୋଗାଣ ଜାରି ରହିବ, ଏଥିପାଇଁ ଉପାୟ କରାଯାଉଛି ଏବଂ ଆଗାମୀ ଦିନରେ ଏମିତି ପଦକ୍ଷେପ ନିଆଯିବ। ଏହି ସମୟ ଗରିବଙ୍କ ପାଇଁ ସଙ୍କଟର ସମୟ ନେଇ ଆସିଛି। ସେମାନଙ୍କ ସାହାଯ୍ୟ ପାଇଁ ସମସ୍ତେ ଏକାଠି ଆସନ୍ତୁ।

ନିରନ୍ତର ପ୍ରୟାସ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ବିଶ୍ଵ ମହାମାରୀର ସ୍ଥିତି ମଧ୍ୟରେ କେନ୍ଦ୍ର ଓ ସମଗ୍ର ଦେଶର ରାଜ୍ୟ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି। ଦୈନନ୍ଦୀନ ଜୀବନରେ ଯେମିତି କାହାରି ଅସୁବିଧା ନହୁଏ ଏଥିପାଇଁ ନିରନ୍ତର ପ୍ରୟାସ କରାଯାଉଛି।

୧୫ ହଜାର କୋଟି  ଘୋଷଣା

ଏହା ସହିତ କରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ୧୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ୧୫ ହଜାର କୋଟି ଆଇସୋଲେସନ ଓ୍ଵାର୍ଡ ଓ ଶଯ୍ୟା, ଭେଣ୍ଟିଲେଟର ଏବଂ ଅନ୍ୟ ବ୍ୟବସ୍ଥା କରାଯିବା ବାବଦରେ ଖର୍ଚ୍ଚ କରାଯିବ।

ଦାୟିତ୍ଵହୀନ ଲୋକ ବିପଦରେ ପକାଇବେ

ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଲୋକଙ୍କ ଦାୟିତ୍ଵହୀନତା, କିଛି ଲୋକଙ୍କ ଭୁଲ୍ ଚିନ୍ତାଧାରା, ଆପଣଙ୍କୁ, ଆପଣଙ୍କର ପିଲାଙ୍କୁ, ଆପଣଙ୍କର ମାତା-ପିତାଙ୍କୁ, ଆପଣଙ୍କର ପରିବାରକୁ, ଆପଣଙ୍କର ସାଥୀଙ୍କୁ, ପୂରା ଦେଶକୁ ବିପଦରେ ପକାଇ ଦେବ। ଗତ ୨ ଦିନରୁ ଦେଶର ଅନେକ ଭାଗ ଲକଡାଉନ୍ କରି ଦିଆଯାଇଛି। ରାଜ୍ୟ ସରକାରଙ୍କୁ ଏହି ପ୍ରୟାସକୁ ଗମ୍ଭୀରତାର ସହ ନେବା ଉଚିତ୍।

ସରକାର ପ୍ରତିବଦ୍ଧ

ଜନତାଙ୍କ ମଧ୍ୟରେ ସଂଘର୍ଷ ଭାବନା ବଜାୟ ରଖିବାକୁ ଜରୁରୀ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି ଯେ, କରୋନା ଭୂତାଣୁ ବିରୋଧ ଲଢେଇରେ ନିରାଶାବାଦ, ନକରାତ୍ମକ ଓ ଗୁଜବର ମୁକାବିଲା କରିବା ମହତ୍ଵପୂର୍ଣ୍ଣ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ଆଶ୍ଵସ୍ତି କରାଯିବାର ଆବଶ୍ୟକତା ରହିଛି ଯେ, ସରକାର କୋଭିଡ୍-୧୯ର ମୁକାବିଲା ପାଇଁ ପ୍ରତିବଦ୍ଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.