‘ସେମାନେ କୁହନ୍ତି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି’; କନ୍ଧମାଳରେ କଂଗ୍ରେସକୁ ମୋଦିଙ୍କ ହମ୍‌ଲା

Published By : Prameya-News7 Bureau | May 11, 2024 IST

ଫୁଲବାଣୀ: ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ପ୍ରଚାର । ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବରରେ ରୋଡ୍ ଶୋ’ ପରେ ଶନିବାର ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ମୋଦି । କନ୍ଧମାଳର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ଲୋକଙ୍କ ଆଶୀର୍ବାଦ ମାଗିଛନ୍ତି । ଏହି ସମୟରେ ପିଏମ୍ ମୋଦି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । 

ପୋଖରାଣ ପରମାଣୁ ପରୀକ୍ଷଣର କଥା ଉଠାଇଥିଲେ ପିଏମ୍ ମୋଦି । ୨୬ ବର୍ଷ ପୂର୍ବେ ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଦେଶକୁ ପରମାଣୁ ଶକ୍ତି ସମ୍ପନ୍ନ କରିଥିଲେ । ବାଜପାୟୀ ସରକାର ପୋଖରାଣରେ ପ୍ରଥମ ଥର ପାଇଁ ପରମାଣୁ ବୋମା ପରୀକ୍ଷଣ କରିଥିଲେ । ୨୬ ବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି ଦେଶ ପାଇଁ କାମ କରୁଛି ବୋଲି ଦେଖାଇଛି । ଦେଶ ସୁରକ୍ଷା ପାଇଁ ପରମାଣୁ ପରୀକ୍ଷଣ କରାଯାଇଥିଲା । 

କନ୍ଧମାଳ ଜନସଭା ମଣିଶଙ୍କର ଆୟରଙ୍କ ନାଁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ କହିଛନ୍ତି, ‘ଏକ ସମୟ ଥିଲା, ଭାରତ ବିଶ୍ବରେ ନିଜ ସାମର୍ଥ୍ୟ ଦେଖାଇଥିଲା । ପରମାଣୁ କ୍ଷେତ୍ରରେ ପରିଚୟ ସୃଷ୍ଟି କରିଥିଲା । ମାତ୍ର ଅନ୍ୟପଟେ କଂଗ୍ରେସ ନେତା ବାରମ୍ବାର ଦେଶବାସୀଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି । ସେମାନେ କହୁଛନ୍ତି ସମ୍ଭାଳିକି ଚାଲ କାରଣ ପାକିସ୍ତାନ ପାଖରେ ଆଟମ୍ ବମ୍ ଅଛି’ । 

ପିଏମ୍ ମୋଦି ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ଏହି ଦୁର୍ବଳ ମନୋଭାବ ପାଇଁ ଜାମ୍ମୁ-କାଶ୍ମୀରବାସୀ ୬୦ ବର୍ଷ ହେଲା ଆତଙ୍କବାଦୀଙ୍କ ସହିତ ସଂଘର୍ଷ କରୁଛନ୍ତି । ଦେଶ କେତେ ଆତଙ୍କୀ ହମଲା ହେଲାଣି, ତାହାକୁ ଦେଶବାସୀ ଭୁଲି ପାରିବେ ନାହିଁ । କଂଗ୍ରେସ ନେତା ଆତଙ୍କୀ ସଂଗଠନ ସହିତ ବୈଠକ କରୁଛନ୍ତି । ଆତଙ୍କବାଦୀଙ୍କ ବିରୋଧ ଆକ୍ସନ ନେଲେ କଂଗ୍ରେସର ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବା ବୋଲି ମୋଦି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.