ଗୁଜରାଟରେ ପିଏମ ମୋଦୀଙ୍କ ମେଗା ରୋଡ୍ ଶୋ', ୫୪ କିଲୋମିଟର ରାସ୍ତା, ଟାର୍ଗେଟରେ ୧୪ ବିଧାନସଭା କ୍ଷେତ୍ର

Published By : Prameya-News7 Bureau | December 01, 2022 IST

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ସବୁଠୁ ବଡ଼ ରୋଡ୍ ଶୋ' କରିଛନ୍ତି । ୫୪ କିଲୋମିଟର ଲମ୍ୱା ଏହି ରୋଡ୍ ଶୋ ବିଳମ୍ୱିତ ସଂଧ୍ୟା ଯାଏ ଚାଲିଥିଲା ଏବଂ ୧୪ ବିଧାନସଭା କ୍ଷେତ୍ର ଦେଇ ଯାଇଥିଲା । ଏହା ପିଏମ ମୋଦୀଙ୍କ ଆଜି ଯାଏର ସବୁଠୁ ବଡ଼ ରୋଡ୍ ଶୋ' ଅଟେ । ଏହି ରୋଡ୍ ଶୋକୁ ପୁଷ୍ପାଞ୍ଜଳି ଯାତ୍ରା ନାଁ ଦିଆଯାଇଛି । ଏହି ରୋଡ୍ ଶୋ'ରେ ପିଏମ ମୋଦୀ ଅହମଦାବାଦର ୧୩ ଏବଂ ଗାନ୍ଧୀନଗର ଗୋଟିଏ ଆସନ ଅତିକ୍ରମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ନିଜ ରୋଡ୍ ଶୋ' ସମୟରେ ସରଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପା ଅର୍ପଣ କରିଥିଲେ । ରୋଡ୍ ଶୋ' ସମୟମରେ ଆମ୍ୱୁଲାନ୍ସକୁ ରାସ୍ତା ଦେବା ପାଇଁ ମଧ୍ୟ ପିଏମ ମୋଦୀଙ୍କ କାରକେଡ୍ ଅଟକିଥିଲା । ପିଏମ ମୋଦୀ ଯେଉଁ ଆସନ ଗୁଡିକରେ ରୋଡ୍ ଶୋ' କରିଛନ୍ତି, ସେଥିରୁ ୧୧ଟି ଆସନ ୨୦୧୭ରେ ବିଜେପି ବିଜୟୀ ହୋଇଥିଲା ।

ପିଏମ ମୋଦୀ ବର୍ତ୍ତମାନ ସୁଦ୍ଧା ୩୩ରୁ ୨୩ ଜିଲ୍ଲାରେ ରାଲି କରିସାରିଛନ୍ତି । ଏଥିରେ ୨୮ ରାଲି ଏବଂ ୨ଟି ରୋଡ୍ ଶୋ' ସାମିଲ ଅଛି । ଆଜି ପିଏମ ମୋଦୀଙ୍କ ତୃତୀୟ ରୋଡ୍ ଶୋ ଥିଲା । ତେବେ ପିଏମ ମୋଦୀ ଏହା ପୂର୍ବରୁ କେବେ ମଧ୍ୟ ଏତେ ଲମ୍ୱା ରୋଡ୍ ଶୋ' କରି ନଥିଲେ । ସୁରତରେ ତାଙ୍କର ଏକ ରୋଡ୍ ଶୋ' ହୋଇଥିଲା ଯାହାର ଦୂରତା ୨୮ କିଲୋମିଟର ଥିଲା ।

ରାଜନୈତିକ ବିଶାରଦଙ୍କ ମତରେ ପିଏମ ମୋଦୀଙ୍କ ଏହି ରୋଡ୍ ଶୋ' ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଗୁଜରାଟରେ ବିଜୟ ପୂର୍ବ ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଅଛି ବିଜେପି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.