ଅଲିମ୍ପିକରେ ଭାରତୀୟ ହକି ଟିମ୍ ର ବିଜୟରେ PM ମୋଦିଙ୍କ ପୋଷ୍ଟ, କହିଲେ-ଏପରି ଉପଲବ୍ଧି ଯାହାକୁ ଆଗାମୀ ପିଢୀ ମନେ ରଖିବ

Published By : Prameya-News7 Bureau | August 08, 2024 IST

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମ୍ ଗୁରୁବାର ତୃତୀୟ ସ୍ଥାନ ନିମନ୍ତେ ପ୍ଲେ-ଅଫ ମ୍ୟାଚ୍ ରେ ସ୍ପେନ କୁ ୨-୧ରେ ହରାଇ ଅଲିମ୍ପିକ୍ କ୍ରିଡାରେ ଲଗାତାର ଦ୍ୱିତୀୟବାର ବ୍ରୋଞ୍ଜ ମେଡାଲ ହାସଲ କରିଛି। କ୍ୟାପ୍ଟେନ ହରମନ ପ୍ରିତ ସିଂହ ମ୍ୟାଚ୍‌ର ୩୦ ଓ ୩୩ତମ ମିନିଟରେ ଲାଗଲାଗ ୨ଟି ଗୋଲ ପୋଷ୍ଟ କରିଥିଲେ। ତେବେ ସ୍ପେନ ଏକମାତ୍ର ଗୋଲ କ୍ୟାପ୍ଟେନ ମାର୍କ ମେରାଲେସ ୧୮ତମ ମିନିଟ୍‌ରେ ପେନାଲ୍ଟି ଷ୍ଟ୍ରୋକରେ କରିଥିଲେ। ଏହି ରୋମାଞ୍ଚକର ବିଜୟ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ଓ ବ୍ୟକ୍ତିତ୍ୱ ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। 


ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଏହା ଏପରି ଏକ ଉପଲବ୍ଧି ଯାହାକୁ ଆଗାମୀ ପିଢୀ ମନେ ରଖିବେ। ଭାରତୀୟ ହକି ଟିମ୍‌ ଅଲିମ୍ପିକରେ ଉଲ୍ଲେଖନୀୟ ପ୍ରଦର୍ଶନକରି ବ୍ରୋଞ୍ଜ ମେଡାଲ ହାସଲ କରିଛି। ଏହା ଏଥି ପାଇଁ ମଧ୍ୟ ଖାସ ଯେ ଅଲିମ୍ପିକରେ ଲଗାତାର ଭାରତୀୟ ହକି ଟିମ୍‌ର ଏହା ଦ୍ୱିତୀୟ ମେଡାଲ। ଏହା ଖେଳାଳିମାନଙ୍କ ସଫଳ କୌଶଳ, ଦୃଢତା ଓ ଟିମ୍‌ ଭାବନାର ବିଜୟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଖେଳାଳି ମାନେ ବେଶ ସାହସିକତା ପ୍ରଦର୍ଶନ କରିଛନ୍ତି। ଏଣୁ ସେମାନଙ୍କୁ ବଧେଇ। ହକି ସହିତ ପ୍ରତ୍ୟେକ ଭାରତୀୟଙ୍କ ଭାବନାତ୍ମକ ସମ୍ପୃକ୍ତି ରହିଛି। ଏହି ଉପଲବ୍ଧି ଆମ ଦେଶର ଯୁବକଙ୍କ ମଧ୍ୟରେ ଏହି ଖେଳକୁ ଆହୁରି ଲୋକପ୍ରିୟ କରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। 



ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ପ୍ୟାରିସ୍ ଅଲିମ୍ପିକରେ ବ୍ରୋଞ୍ଜ ମେଡାଲ ଜିତିଥିବାରୁ ଆମର ହକି ଟିମ୍‌କୁ ହାର୍ଦ୍ଦିକ ବଧେଇ। ଏହା ପାଞ୍ଚ ଦଶନ୍ଧୀରୁ ଅଧିକ ସମୟ ପରେ ହୋଇଛି। ଯେତେବେଳେ ଭାରତ ଲଗାତାର ଦୁଇଟି ଅଲିମ୍ପିକରେ ବ୍ରୋଞ୍ଜ ଜିତିଛି। ଭାରତୀୟ ହକିର ପୁନରୁତ୍ଥାନ ନିମନ୍ତେ ଟିମ୍‌ ସବୁଠୁ ଅଧିକ ପ୍ରଶଂସାର ପାତ୍ର। ସେମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି। ଏହି ଟିମ୍‌ ଦେଖାଇଥିବା ନିରନ୍ତରତା, କୌଶଳ, ଏକଜୁଟତା ଓ ଲଢୁଆ ମାନସିକତା ଆମର ଯୁବକମାନଙ୍କୁ ପ୍ରେରିତ କରିବ। ଭାରତୀୟ ହକି ଟିମ୍‌ ବହୁତ ବଢିଆ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.