ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟ । ଅମୃତ ଷ୍ଟେସନ ଯୋଜନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଦେଶର ୧୩୦୯ଟି ରେଳ ଷ୍ଟେସନର ପୁନଃ ବିକାଶ ହେବ । ରବିବାର ଭିସିରେ ପ୍ରଥମ ପର୍ଯ୍ୟାୟରେ ଆଜି ୫୦୮ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚା ହେବ । ଏହି ତାଲିକାରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି । ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡିଶା ପାଇଁ କେନ୍ଦ୍ର ସରକାର ୫୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ।
ଅମୃତ ଷ୍ଟେସନ ଯୋଜନାରେ ବିଶ୍ବସ୍ତରୀୟ ହେବ ଭାରତୀୟ ରେଳ । ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଛି । ଟ୍ରାଫିକ୍ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଷ୍ଟେସନ୍ ଗୁଡ଼ିକ ଅନୁପ୍ରାଣିତ ହେବ। ଅମୃତ ଭାରତ ଷ୍ଟେସନ୍ ଯୋଜନା ଶୁଭାରମ୍ଭ ଅବସରରେ ବିରୋଧୀଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ଦେଶରେ ବିରୋଧୀ ନା ନିଜେ କାମ କରୁଛନ୍ତି ନା କାମ କରିବାକୁ ଦେଉଛନ୍ତି । ପ୍ରତି କାମରେ ବିରୋଧ କରିବା ବିରୋଧୀଙ୍କ ଆଭିମୁଖ୍ୟ ବୋଲି ମୋଦି କହିଛନ୍ତି ।
ଦକ୍ଷିଣ ଆଫ୍ରିକା, ୟୁକ୍ରେନ୍ , ପୋଲାଣ୍ଡ, ବ୍ରିଟେନ୍ ଏବଂ ସ୍ବିଡେନ୍ ରେ ଯେତିକି ରେଳ ଲାଇନ୍ ଅଛି, ଗତ ୯ବର୍ଷ ଭିତରେ ଭାରତରେ ତା’ଠାରୁ ଅଧିକ ରେଳ ଲାଇନ ବିଛା ଯାଇଛି । ଦକ୍ଷିଣକୋରିଆ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଯେତିକି ରେଳ ଲାଇନ୍ ଅଛି ଭାରତରେ ଗତ ବର୍ଷେ ଭିତରେ ତାଠାରୁ ଅଧିକ ରେଳ ଲାଇନ୍ ବିଛାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆସନ୍ତା ୩୦ ବର୍ଷକୁ ଆଖିରେ ରଖି ରେଳ ଷ୍ଟେସନର ପୁନଃବିକାଶ କରାଯାଉଛି ।