ନୂଆଦିଲ୍ଲୀ ୧୦/୦୮: ପୁଣି କଂଗ୍ରେସ ଉପରେ ଗର୍ଜିଲେ ମୋଦୀ। କଳା ରଙ୍ଗ ରାଜନୀତିତକୁ କଲେ ସମାଲୋଚନା। କହିଲେ ଅଗଷ୍ଟ ୫ ଦିନ କିଛି ଲୋକ କଳା ପୋଷାକ ପିନ୍ଧି କଳାଯାଦୁ ଖେଳାଇବା ପାଇଁ ଚାହୁଁଥିଲେ। ସେମାନେ ଭାବିଥିଲେଯେ କଳା ପୋଷାକ ପିନ୍ଧିଲେ ସେମାନଙ୍କ ନିରାଶା ସମାପ୍ତ ହେବ। କିନ୍ତୁ ସେମିତି କିଛି ହେବନି। ସେମାନେ ଜାଣିନାହାନ୍ତିଯେ ଯେତେବି ଝଡ଼ାଫୁଙ୍କା କରନ୍ତୁ, କଳାଯାଦୁ କରନ୍ତୁ, କିମ୍ୱା ଅନ୍ଧବିଶ୍ୱାସ କରନ୍ତୁ ଲୋକମାନେ ସେସବୁ ଉପରେ ଭରସା କରିବେ ନାହିଁ।
ହରିଆଣାର ପାନିପଥରେ ଜୈବିକ ଇନ୍ଧନ ପ୍ଲାଣ୍ଚର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି କହିଛନ୍ତି। ସେ କହିଛନ୍ତି ଏହି ଲୋକମାନେ ନକାରାତ୍ମକ ଭ୍ରମରେ ଫସିଯାଇଛନ୍ତି। ସରକାରଙ୍କ ବିରୋଧରେ ମିଛ କହିବା ପରେ ମଧ୍ୟ ସରାକାର ସେମାନଙ୍କ ଉପରେ ଭରସା କରିବେ ନାହିଁ। ଏବେ ଏହି ଲୋକମାନେ କଳାଯାଦୁ ଆଡ଼କୁ ମୁହାଁଉଛନ୍ତି। ସୂଚନାଥାଉକି, ଅଗଷ୍ଟ ପାଞ୍ଚରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ସଂସଦ ଭବନରେ ପହଞ୍ଚିଥିଲେ। ଏହାପରେ ରାଜରାସ୍ତାକୁ ଆସି ଦରଦାମ୍ ବୃଦ୍ଧି, ବେକାରି ସମସ୍ୟା ବିରୋଧରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ରାମ ମନ୍ଦିର ଭୂମିପୂଜନ ହୋଇଥିବା ଦିନ କଳା ପୋଷାକ ପିନ୍ଧି ଏହି ଲୋକମାନେ ହିନ୍ଦୁଙ୍କୁ ବିରୋଧ କରୁଛନ୍ତି।
ସେ କହିଛନ୍ତି ଯେଉଁଲୋକମାନେ ରାଜନୈତିକ ସ୍ୱାର୍ଥ ସାଧନ କରିବା ପାଇଁ ସର୍ଟକଟ୍ ଆପଣାଥନ୍ତି ଓ ସମସ୍ୟାକୁ ଟାଳିବାର ପ୍ରକୃତି ଥାଏ ସେମାନେ କେବେ ସମାଧାନ କରିପାରିବେ ନାହିଁ। ଏହି ଲୋକମାନଙ୍କୁ ଅଳ୍ପ କିଛି ଦିନ ପାଇଁ ପ୍ରଶଂସା ମିଳିଥାଏ କିନ୍ତୁ ସଫଳତା ମିଳେନାହିଁ। ସର୍ଟକଟରୁ ସର୍ଟସର୍କିଟ ହୋଇଥାଏ। ଆମ ସରକାର ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜୁଟିଛନ୍ତି। ଆମେ କୃଷକମାନଙ୍କ ସମସ୍ୟା ସମସ୍ୟାକୁ ବୁଝି ପାରୁଛୁ, ସେଥିପାଇଁ ସେମାନଙ୍କୁ ସାହାଜ୍ୟ କରୁଛୁ।