ବିଭାନସଭା ନିର୍ବାଚନ: ଚାରି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪୦ ଜନସଭା, ମଧ୍ୟ ପ୍ରଦେଶରେ ସବୁଠୁ ଅଧିକ

Published By : Prameya-News7 Bureau | November 28, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ବେଳେ ୪୦ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଏହି ସମୟରେ ସେ କିଛି ରୋଡ୍ ଶୋ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଦେଶରେ ସର୍ବାଧିକ ୧୪ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋତ୍ତର ରାଜ୍ୟ ମିଜୋରାମରେ ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହୋଇ ନାହାନ୍ତି । ଗତ ଅକ୍ଟୋବର ୯ରେ ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ମିଜୋରାମରେ ମତଦାନ ଶେଷ ହୋଇଛି । ତେଲଙ୍ଗାନାରେ ନଭେମ୍ୱର ୩୦ରେ ମତଦାନ ହେବ । ଡିସେମ୍ୱର ୩ରେ ପାଞ୍ଚ ରାଜ୍ୟର ନିର୍ବାଚନ ପରିଣାମ ସାମନାକୁ ଆସିବ ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ରାଲି ଛତିଶଗଡ଼ରେ କରିଥିଲେ । ଏହାପରେ ସେ ଦୁର୍ଗ, ବିଶ୍ରାମପୁର, ମୁଙ୍ଗେଲୀ ଓ ମହାସମୁଦ୍ରରେ ନିର୍ବାଚନୀ ଜନସଭାକୁ ସମ୍ୱୋଧିତ କରିଥିଲେ । ଏହି ସମୟରେ ସେ କଂଗ୍ରେସ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଟାର୍ଗେଟ୍ କରିଥିଲେ । ଦୁର୍ନୀତି ଏବଂ କୁଶାସନକୁ ସେ ମୁଦ୍ଦା କରିଥିଲେ । ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୧୪ ଜନସଭାକୁ ସମ୍ୱୋଧିତ ଓ ଗୋଟିଏ ରୋଡ ଶୋ କରିଥିଲେ । ସେ ସିଭନୀ, ଖଣ୍ଡଭା, ସିଧି, ଦମୋହ, ଗୁଣା, ମୁରେନା, ସତନା, ଛତରପୁର, ନୀମଚ, ବଡ଼ୱାନୀ, ବେତୁଲ, ଶାଜାପୁର ଓ ଝାବୁଆରେ ନିର୍ବାଚନୀ ସଭାକୁ ସମ୍ୱୋଧିତ କରିଥିଲେ । ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଡବଲ୍ ଇଞ୍ଜିନ ସରକାର ଓ ରାଜ୍ୟର ବିକାଶ ପାଇଁ ବିଜେପିର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ପଢନ୍ତୁ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ କର୍ଣ୍ଣାଟକ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍

କଂଗ୍ରେସ ଶାସିତ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ମୋଟ ୧୨ଟି ନିର୍ବାଚନୀ ସଭାକୁ ସମ୍ୱୋଧିତ କରିଥିଲେ । ଏହି ସମୟରେ ସେ ରାଜ୍ୟର ଅପରାଧ ଓ ଦୁର୍ନୀତିକୁ ମୁଦ୍ଦା କରି କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନୀ ସଭାରେ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଓ ଦିବଗଂତ ନେତା ରାଜେଶ ପାଇଲଟଙ୍କ ସହ କଂଗ୍ରେସର ତତ୍କାଳୀନ ଶୀର୍ଷ ନେତୃତ୍ୱ ଦ୍ୱାରା କରାଯାଇଥିବା ବ୍ୟବହାରକୁ ମୁଦ୍ଦା କରିଥିଲେ ।

ତେଲଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ ମୋଟ ଆଠ ନିର୍ବାଚନ ଜନସଭା ଓ ଗୋଟିଏ ରାଲି କରିଥିଲେ । ତେଲଙ୍ଗାନାରେ ଶାସନରେ ଥିବା ବିଆରଏସ ଓ କଂଗ୍ରେସ ମଧ୍ୟରେ ସିଧା ଲଢେଇ ହେଉଛି । କିନ୍ତୁ ବିଜେପି ମଧ୍ୟ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେଉଛି ।

Also Read: କେସିଆର ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ଝଟକା, ରୟତୁ ବନ୍ଧୁ ଯୋଜନା ଉପରେ ଲଗାଇଲେ ରୋକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.