ବାଲିରେ ୪୫ ଘଣ୍ଟା, ୧୦ ବଡ ନେତାଙ୍କ ସହ ହେବ ଭେଟ, ଜି-୨୦ରେ ଏମିତି ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ

Published By : Prameya-News7 Bureau | November 13, 2022 IST

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ନଭେମ୍ବର ୧୫ରେ ଇଣ୍ଡୋନେସିଆର ବାଲି ସହର ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ତିନୋଟି ପ୍ରମୁଖ ଅଧିବେଶନ ଖାଦ୍ୟ ଓ ଉର୍ଜା ସୁରକ୍ଷା, ସ୍ଵାସ୍ଥ୍ୟ ଏବଂ ଡିଜିଟାଲ୍ ପରିବର୍ତ୍ତନରେ ଯୋଗ ଦେବେ। ସେଠାରେ ତିନି ଦିନ ଅବସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଭାରତ ପାଇଁ ଏହି ସମ୍ମିଳନୀ ଗୁରୁତ୍ଵପୂର୍ଣ୍ଣ ରହିଛି। ଶିଖର ସମ୍ମିଳନୀରେ ଭାରତ, ଚୀନ ଏବଂ ଆମେରିକା ସମେତ ଅନ୍ୟ ଦେଶଗୁଡିକର ରାଷ୍ଟ୍ରାଧ୍ୟକ୍ଷ ସାମିଲ୍ ହେବେ। ଏହି ସମୟରେ ରୁଷ-ୟୁକ୍ରେନ ସଂଘର୍ଷ ଏବଂ ଏହାର ପ୍ରଭାବରେ ଉପୁଜିଥିବା ବୈଶ୍ଵିକ ଆହ୍ଵାନ ଉପରେ ବିଚାର ବିମର୍ଶ କରାଯାଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ପ୍ରାୟ ୪୫ ଘଣ୍ଟା ପର୍ଯ୍ୟନ୍ତ ରହିବେ। ଏଠାରେ ପାଖାପାଖି ୨୦ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏ ନେଇ ସୋମବାର ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିବେ ବୋଲି କୁହାଯାଉଛି। ସେଠାରେ ପ୍ରାୟ ୧୦ ବଡ ନେତାଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ଇଣ୍ଡୋନେସିଆର ଡାୟସ୍ପୋରାରେ ଭାରତୀୟ ପ୍ରବାସୀଙ୍କୁ ସାକ୍ଷାତ କରିବା ସହିତ ଆଲୋଚନା ବି କରିବେ। ଏଠାରେ ମୋଦୀଙ୍କ ପାଇଁ ସ୍ଵାଗତ ସମାରୋହ ରଖାଯାଇଛି।

ବୈଦେଶିକ ସଚିବ ବିନୟ କ୍ଵାତ୍ରା ରବିବାର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ନବେମ୍ବର ୧୫ ଏବଂ ୧୬ରେ ଶିଖର ସମ୍ମିଳନୀ ଆୟୋଜିତ ହେବ। ବାର୍ଷିକ ସାଧାରଣ ସଭା ସମାପନ ସମାରୋହରେ ଇଣ୍ଡୋନେସିଆ ଜି-୨୦ ସଭାପତିତ୍ଵ ଭାରତକୁ ହସ୍ତାନ୍ତର କରିବ। ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଯୋଗ ଦେବେ।  କୁହାଯାଉଛି କିଛି କାରଣ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଜି-୨୯ ସମ୍ମିଳନୀରେ ଯୋଗ ଦେବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.