ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନରେ ଦେଶକୁ ମିଳିବ ଉପହାର, ୭୦ ବର୍ଷ ପରେ ଭାରତ ଆସିବ ଚିତା
12/09/2022 at 8:10 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଆସନ୍ତା ସେପ୍ଟେମ୍ୱର ୧୭ରେ ପାଳନ କରାଯିବ। ଏହି ଅବସରରେ ପିଏମ ମୋଦୀଙ୍କ ଉପହାର ଦେଶ ପାଇଁ ଐତିହାସିକ ହେବାକୁ ଯାଉଛି, କାରଣ ୭୦ ବର୍ଷ ପରେ ଦେଶକୁ ଫେରିବେ ଚିତା । ୧୯୫୨ ମସିହାରେ ଦେଶରେ ବିଲୁପ୍ତ ଘୋଷିତ ହୋଇଥିବା ଦୁନିଆର ସବୁଠୁ ଦ୍ରୁତ ଗତିରେ ଦୌଡୁଥିବା ଚିତାକୁ କୁନୋ-ପାଲପୁର ରାଷ୍ଟ୍ରୀୟ ଉଦ୍ୟାନରେ ରଖାଯିବ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମଧ୍ୟ ପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ୮ଟି ଚିତାକୁ ଛଡାଯିବ। ନାମିବ୍ୟାର ରାଜଧାନୀରୁ ଏହି ଚିତା ଗୁଡିକୁ ଅଣାଯିବ। ସୂତ୍ର ଅନୁସାରେ, ସେପ୍ଟେମ୍ୱର ୧୬ରେ ୱିଣ୍ଡହାକରୁ ୮ଟି ଚିତା ଯେଉଁଥିରେ ୫ଟି ମାଇ ଏବଂ ତିନୋଟି ଅଣ୍ଡିରା ଚିତା ସାମିଲ ଅଛନ୍ତି ସଭିଙ୍କୁ ଚାର୍ଟାଡ୍ ବିମାନରେ ଅଣାଯିବ । ୧୭ ତାରିଖ ସକାଳରେ ଜୟପୁରରେ ଲ୍ୟାଣ୍ଡିଂ ହେବ ଏବଂ ସେଠାରୁ ହେଲିକପ୍ଟର ଜରିଆରେ କୁନୋ ନ୍ୟାସନାଲ ପାର୍କରେ ଛଡାଯିବ। ଏହି ଐତିହାସିକ ପଦକ୍ଷେପର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଏହାଦ୍ୱାରା ପରିବେଶର ସନ୍ତୁଳନକୁ ବଜାୟ ରଖିବାରେ ସହଜ ହେବ।
ଉଲ୍ଲେଖଯୋଗ୍ୟ ଯେ, କୁନୋ-ପାଲପୁର ଜାତୀୟ ଉଦ୍ୟାନ ୭୫୦ରୁ ଅଧିକ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବ୍ୟାପ୍ତ ଏବଂ ମାଂସାହାରୀ ଜୀବଙ୍କୁ ସମ୍ଭାଳିବା ପାଇଁ ସକ୍ଷମ ଅଛି । ଦେଶରେ ୧୯୪୭ ମସିହାରେ ଶେଷ ଥର ପାଇଁ ଚିତା ବାଘ ଦେଖିବାକୁ ମିଳିଥିଲା । ସେହି ସମୟରେ ଅବିଭାଜିତ ମଧ୍ୟ ପ୍ରଦେଶର ଛତିଶଗଡରେ ଶେଷ ଚିତାର ମୃତ ଶରୀର ଉଦ୍ଧାର କରାଯାଇଥିଲା । ଏହାପରେ ୧୯୫୨ ମସିହାରେ ଏହି ବନ୍ୟଜନ୍ତୁକୁ ଦେଶରେ ବିଲୁପ୍ତ ଘୋଷଣା କରାଯାଇଥିଲା ।