ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ପିଏମ ନରେନ୍ଦ୍ର ମୋଦି କରିବେ ଭର୍ଚୁଆଲ ମିଟିଂ
27/09/2020 at 5:27 PM

ନୂଆଦିଲ୍ଲୀ ୨୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ସୋମବାର) ଡେନମାର୍କ ପ୍ରଧାନମନ୍ତ୍ରୀ ମେଟି ଫ୍ରେଡରିକସନଙ୍କ ସହ ଭର୍ଚୁଆଲ ଦ୍ବିପାକ୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ସମ୍ମିଳନୀର ଆୟୋଜନ ଭାରତ କରୁଛି। ବିଦେଶ ମନ୍ତ୍ରାଳୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏହି ବୈଠକ ଉଚ୍ଚସ୍ତରୀୟ ଆଦାନ ପ୍ରଦାନ ସହ ଐତିହାସିକ ସମ୍ବନ୍ଧ ଓ ଗଣତାନ୍ତ୍ରିକ ପରମ୍ପରା ଉପରେ ଆଧାରିତ ହେବ। ତେବେ କୌଣସି ୟୁରୋପୀୟ ପ୍ରଧାନମନ୍ତ୍ରୀଙ୍କ ସହ ଏହା ହେବ ମୋଦିଙ୍କ ପ୍ରଥମ ଭର୍ଚୁଆଲ ମିଟିଂ। କୋଭିଡ-୧୯ ମହାମାରୀ ପରେ କୌଣସି ବିଶ୍ବ ନେତାଙ୍କ ସହ ପିଏମ ମୋଦିଙ୍କର ଏହା ହେବ ପ୍ରଥମ ଭର୍ଚୁଆଲ ବୈଠକ। ଏହା ପୂର୍ବରୁ ମୋଦି ଅଷ୍ଟେ୍ରଲିଆ,ଶ୍ରୀଲଙ୍କା ନେତାଙ୍କ ସହ ଭର୍ଚୁଆଲ ମିଟିଂ କରିସାରିଛନ୍ତି। ତେବେ ପିଏମ ଏଥର ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଗତକାଲି ବୌଦ୍ଧିକ ସମ୍ପତି ଅଧିକାର (ଆଇପିଆର) କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ଡେନମାର୍କ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହା ଅଧୀନରେ ଦୁଇ ଦେଶ ତାଲିମ କାର୍ଯ୍ୟକ୍ରମରେ ସହଯୋଗ ବୃଦ୍ଧି ଏବଂ ସର୍ବୋତ୍ତମ ଅଭ୍ୟାସ ପ୍ରଦାନ ଉପରେ ଆଲୋଚନା କରିବେ। ବାଣିଜ୍ୟ ମନ୍ତ୍ରାଳୟ କହିଛନ୍ତି ଦୁଇ ପକ୍ଷ ଏକ ଏମଓୟୁ ଲାଗୁ କରିବା ପାଇଁ ଦ୍ବିବାର୍ଷିକ କାର୍ଯ୍ୟ ଯୋଜନା ତିଆରି କରିବେ। ଯେଉଁଥିରେ ସହଯୋଗ କାର୍ଯ୍ୟକଳାପ ପୂରା କରିବା ପାଇଁ ବିସ୍ତୃତ ଯୋଜନା ସାମିଲ ଥିବ।