ଏଏମ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଆପତ୍ତିଜନକ ପୋଷ୍ଟର ଦେଖି ରାଗିଲେ ଡୋଭାଲ, କରିଲେ ଏମିତି ଟୁଇଟ୍

Published By : Prameya-News7 Bureau | August 22, 2019 IST

ନୂଆଦିଲ୍ଲୀ୨୨|୮: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ବିରୋଧରେ ଲଣ୍ଡନରେ ଏକ ବିରୋଧ ପ୍ରଦର୍ଶନ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଆପତ୍ତିଜନକ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ତେବେ ଏହି ପୋଷ୍ଟର ଏବେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମ୍‌ୟୁ) କାମ୍ପସରେ ଲଗାଯିବା ନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କ୍ଷୋଭ ପ୍ରକାଶ କରିଛନ୍ତି । ଟୁଇଟ ଜରିଆରେ ଏଭଳି କରିଥିବା ଛାତ୍ରଙ୍କ ବିରୋଧରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବୀ କରିଛନ୍ତି ।

ଗତ ମଙ୍ଗଳବାରଠାରୁଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ପୋଷ୍ଟର ଏକ ଗ୍ରୁପ୍‌ରେ ସେୟାର କରିଥିବାରୁ ଅଲ୍ଲୀଗଡର ପୋଲିସ ଏଏମ୍‌ୟୁର ଜଣେ ଛାତ୍ରକୁ ଗିରଫ ମଧ୍ୟ କରିଛି। ପ୍ରଧାନମନ୍ତ୍ରୀଙ୍କର ଏହି ଆପତ୍ତିଜନକ ପୋଷ୍ଟର ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟରେ ଏଭଳି ପୋଷ୍ଟର ଲାଗିଛି ବୋଲି ଦିଲ୍ଲୀ ନିବାସୀ ତଥା ଏଏମୟୁର ପୂର୍ବତନ ଛାତ୍ର  ରାଜେଶ୍ବର ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସେ ଲେଖିଥିଲେ ଯେ,  ଏଭଳି ହେବା ନିନ୍ଦନୀୟ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ ବୋଲି  ସେ ଦାବୀ କରିଥିଲେ। ଏପରିକି ରାଜେଶ ଅଲ୍ଲୀଗଡ ପୋଲିସ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟଙ୍କ ପାଖରେ ମଧ୍ୟ ଏ ନେଇ ଅଭିଯୋଗ କରିଥିଲେ। ଏହି ମାମଲା ବ୍ୟାପିବା ପରେ ଅଲ୍ଲୀଗଡ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।

ଏହି ମାମଲା ନେଇ ଅଜିତ୍‌ ଡୋଭାଲ କ୍ଷୋଭ ପ୍ରକାଶ କରି ଟୁଇଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏଏମ୍‌ୟୁରେ ଯଦି ଏଭଳି ପୋଷ୍ଟର ଲାଗିବ ତାହେଲେ ସେଠି ପଢିବାର କୌଣସି ଫାଇଦା ନାହିଁ। ଯେଉଁମାନଙ୍କ ଭାବନା ଏତେ ଖରାପ ସେମାନେ ପାଠ ପଢି କଣ କରିବେ। ଏହା ବ୍ୟତୀତ ସେ ପୋଷ୍ଟର ଲଗାଇଥିବା ବ୍ୟକ୍ତଙ୍କୁ ଦଣ୍ଡ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି।

ଅପରପକ୍ଷରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଭାଇରାଲ ହୋଇଥିବା ପୋଷ୍ଟର ସହ ବିଶ୍ବବିଦ୍ୟାଳୟର କୌଣସି ସମ୍ପର୍କ ନାହିଁ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ପୋଷ୍ଟର ଭାଇରାଲ କରିବା ମାମଲାରେ ପୋଲିସ ଜମାଲପୁରର ମଧ୍ୟ ଜୈଦ ନାମକ ଜଣେ ଛାତ୍ରଙ୍କୁ ଗିରଫ କରିଛି। ପଚରାଉଚୁରାରୁ ଜଣା ପଡିଛି ଯେ, ବିହାରର କିଶନଗଂଜ ସ୍ଥିତ ଏଏମ୍‌ୟୁ ଅନୁବନ୍ଧିତ ଏକ କଲେଜର ଜଣେ ଏମ୍‌ବିଏ ପ୍ରଥମ ବର୍ଷର ଛାତ୍ର ଏହି ପୋଷ୍ଟରକୁ ନିଜ ରାଜ୍ୟରେ ସେୟାର କରୁଥିଲା।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପୋଷ୍ଟରର ଯାଞ୍ଚରୁ ଜଣା ପଡିଛି ଯେ, ଏହି ପୋଷ୍ଟର ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ କେମ୍ପସରେ ଲଗାଯାଇନଥିଲା। ଏହା ଅନ୍ୟ ସ୍ଥାନର ପୋଷ୍ଟର ଯାହା ଭୁଲରେ ଲିଙ୍କ ହୋଇଥିଲା। ୩୭୦ ଧାରା ଉଚ୍ଛେଦ ପରିପ୍ରେକ୍ଷୀରେ ଲଣ୍ଡନରେ ବିରୋଧ ପ୍ରଦର୍ଶନ ବେଳେ ଏହି ପୋଷ୍ଟରକୁ ବ୍ୟବହାର କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.