ଆଜି ଦିନିକିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
19/05/2018 at 5:08 AM

ଆଜି ଦିନିକିଆ ଜମ୍ମୁ କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କାଶ୍ମୀର ଉପତ୍ୟାକାର ଜମ୍ମୁ,କାଶ୍ମୀର ଓ ଲଦାଖ ଅଞ୍ଚଳର ପରିଦର୍ଶନରେ ଯିବେ। ଅନେକ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି। ଜୋଜିଲା ସୁଡଙ୍ଗ ନିର୍ମାଣର କାମର ଶୁଭାରମ୍ଭ କରିବେ ମୋଦି । ଏହି ସୁଡଙ୍ଗ ବାଲଟାଲକୁ ମୀନାମାର୍ଗ ସହିତ ସଂଯୋଗ କରିବ ।୧୪ କିମି ଲମ୍ବା ଏହି ସୁଡଙ୍ଗ ଭାରତର ଦୀର୍ଘତମ ସୁଡଙ୍ଗ ହେବ। ଏବଂ ଦୁଇ ପଟୁ ସଂଯୋଗ କରୁଥିବା ଏସିଆ ମହାଦେଶରେ ଦୀର୍ଘତମ ସୁଡଙ୍ଗ ହେବ। ୬ ହଜାର ୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଶ୍ରୀନଗର –ଲେହ ଅଞ୍ଚଳର ଜାତୀୟ ରାଜପଥ ୱାନ ଏରେ ଏହି ସୁଡଙ୍ଗକୁ ନିର୍ମାଣ କରାଯାଉଛି। ଆଜି ଶ୍ରୀନଗରରେ ପ୍ରଧାନମନ୍ତ୍ରୀ ୩୩୦ ଏମ ଡବ୍ଲୁ କିଷନଗଙ୍ଗା ହାଇଡ୍ରୋପାୱାର ଷ୍ଟେସନକୁ ଲୋକାର୍ପିତ କରିବେ। ଏଥିସହିତ ଶ୍ରୀନଗର ରିଂ ରୋଡ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି। ୪୨.୧କି ମିର ଏହି ରିଂ ରୋଡରେ ୪ ଥାକିଆର ରୋଡର ବ୍ୟବସ୍ଥା କରାଯିବ। ଏବଂ ଏହା ପଶ୍ଚିମ ଶ୍ରୀନଗରର ଗଲାନ୍ଦରକୁ ବାଦିନିପୋରା ଜିଲ୍ଲାର ସୁମ୍ବାଲକୁ ଯୋଡିବ।