କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗାରେ ଦୀପ ଜାଳିବେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱାଗତ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି
29/11/2020 at 6:07 PM

ନୂଆଦିଲ୍ଲୀ ୨୯/୧୧ : ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୩୦ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ସାମିଲ ହେବେ। କୄଜରେ ଗଙ୍ଗା ଘାଟରେ ଦିପୋତ୍ସବ ଦେଖିବେ। ମୋଦିଙ୍କ ପାଇଁ ଗଙ୍ଗା କୂଳରେ ଦୁଇଟି ଟ୍ରାକ ତିଆରି କରାଯାଉଛି। ଏହି ଦୁଇଟି ଟ୍ରାକରେ ଏସପିଜି ଓ ସୁରକ୍ଷାକର୍ମୀ ନିୟୋଜିତ ରହିବେ।

ପ୍ରଧାନମନ୍ତ୍ରୀ ମୋଦି ସନ୍ଥ ଅବଧୂତ ଭଗବାନ ରାମ ଘାଟରୁ ଲଳିତା ଘାଟ ଯାଏଁ ଯିବେ। ସେଠାରୁ ସେ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବାକୁ ଯିବେ। ମୋଦି ଜଳ ମାର୍ଗରେ ପାଖାପାଖି ୬ କିଲୋମିଟର ଯାତ୍ରା କରିବେ। କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ତିଆରି ହେଉଥିବା କରିଡରର ସ୍ଥଳୀୟ ନିରୀକ୍ଷଣ ମଧ୍ୟ କରିବେ। ଏହାପରେ ପୁଣି ଜଳ ମାର୍ଗରେ ରାଜଘାଟ ଆସି ଦେବ ଦୀପାବଳିର ପ୍ରଥମ ଦୀପ ଜଳାଇବେ। ମୋଦିଙ୍କ ଗଙ୍ଗା ଯାତ୍ରା ପାଇଁ ସୁରକ୍ଷା ଦୃଷ୍ଟିରୁ ଅସ୍ସି ଘାଟ ଓ ରାଜଘାଟ ଆଗରେ ପାଣିରେ ଜାଲ ପକାଯାଇଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜଘାଟରେ ସଂକ୍ଷିପ୍ତ ଜନସଭା ପ୍ରସ୍ତାବ ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୀପ ପ୍ରଜ୍ବଳନ ପରେ ସାଧାରଣ ଜନତା ମଧ୍ୟ ଦୀପ ଜଳାଇବେ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି। ମଞ୍ଚର ଉଭୟ ପାର୍ଶ୍ୱରେ କୌଣସି ପରଦା ରହିବନାହିଁ ଯେପରି ମୋଦି ଗଙ୍ଗା ଘାଟର ଦୃଶ୍ୟ ଦେଖିପାରିବେ।

ମୋଦି ବାରାଣସୀ ଓ ପ୍ରୟାଗରାଜ ମଧ୍ୟରେ ୬ ଲେନ ବିଶିଷ୍ଟ ୧୯ ନମ୍ବର ଜାତୀୟ ରାଜପଥ ଉଦଘାଟନ କରିବେ। ସୂଚନାଯୋଗ୍ୟ ଯେ, କରୋନା କାଳରେ ନିଜ ସଂସଦୀୟ କ୍ଷେତ୍ରକୁ ମୋଦିଙ୍କର ଏହା ପ୍ରଥମ ଗସ୍ତ।

ମୋଦିଙ୍କ ବାରାଣସୀ ଗସ୍ତକୁ ନେଇ କାଶୀରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ଉତ୍ସବ ପାଳନ କରାଯାଏ। ଏହି ଉତ୍ସବ ବହୁତ ଧୂମଧାମରେ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମରେ ଦେବ ଦୀପାବଳିର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ନଦୀ କୂଳରେ ଦୀପ ଲଗାଇ ଦେବ ଦୀପାବଳି ପାଳନ କରାଯାଏ।