ପ୍ରାର୍ଥୀ ସୂଚୀ ଜାରୀ ହେବା ପରେ ମିସନ ମୋଡରେ ପ୍ରଧାନମନ୍ତ୍ରୀ, ୧୦ ଦିନରେ ୧୨ ରାଜ୍ୟର ୨୯ କାର୍ଯ୍ୟକ୍ରମରେ ଯୋଗଦେବେ

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୩।୩: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାର୍ଟି ଶନିବାର ୧୯୫ ପ୍ରାର୍ଥୀଙ୍କ ତାଲିକା ଜାରି କରି ଅଧିକାରୀକ ଭାବେ ଲୋକସଭା ନିର୍ବାଚନ-୨୦୨୪ ନିମନ୍ତେ ବିଗୁଲ ଫୁଙ୍କିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଗାମୀ ନିର୍ବାଚନକୁ ନେଇ ମିସନ ମୋଡରେ ଜନତାଙ୍କ ନିକଟକୁ ଯିବାକୁ ପ୍ରସ୍ତୁତି କରିସାରିଲେଣି। ଏଥିରେ ପ୍ରଧାନମନ୍ତ୍ରୀ ଆଗାମୀ ୧୦ ଦିନରେ ୧୨ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଥିବା ବେଳେ ଏହି ସମୟରେ ସେ ଦେଶର ଅଲଗା ଅଲଗା ଭାଗରେ ୨୯ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।

ପ୍ରଧାନମନ୍ତ୍ରୀ ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ପଶ୍ଚିମବଙ୍ଗ, ବିହାର, ଜମ୍ମୁ-କାଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀ ସମେତ କେତେକ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଯାତ୍ରା କାର୍ଯ୍ୟକ୍ରମ ୪ ମାର୍ଚ୍ଚରେ ତେଲେଙ୍ଗାନାର ଆଦିଲାବାଦରୁ  ଆରମ୍ଭ ହେବ। ଏଠାରୁ ସେ ତାମିଲନାଡୁ ଗସ୍ତ କରିବେ, ଯେଉଁଠାରେ ସେ କଳପକ୍କମ ଆଣବିକ ଶକ୍ତି ବିଭାଗ (ଡିଏଇ) ଅନ୍ତର୍ଗତ ନ୍ୟୁକ୍ଲିୟସ ବିଦ୍ୟୁତ ନିଗମ ଗସ୍ତ କରିବେ। ଏଠାରେ ସେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ପରେ ହାଇଦ୍ରାବାଦ ଯିବେ।

{"id":916680,"sizeSlug":"full","linkDestination":"none"}

ମାର୍ଚ୍ଚ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଗସ୍ତ କରିବେ ସେଠାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ ସହ ଜନସମାବେଶକୁ ସମ୍ବୋଧିତ କରିବା ପରେ ଓଡିଶା ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଓ ଯାଜପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ପଶ୍ଚିମବଙ୍ଗ ଗସ୍ତ କରିବେ। ମାର୍ଚ୍ଚ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରହିବେ। ପରେ ସେଠାରୁ ଉତ୍ତର ୨୪ ପ୍ରଗଣା ଗସ୍ତ କରି ବାରାସାତରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ। ସେଠାରୁ ସେ ବିହାର ଗସ୍ତ କରିବେ।

୭ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀର ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଆସାମ ଗସ୍ତ କରିବେ ଓ ୯ ମାର୍ଚ୍ଚରେ ଅଋଣାଚଳ ପ୍ରଦେଶ ଗସ୍ତ କରିବେ। ୧୦ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଯାତ୍ରା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିବା ବେଳେ ମାର୍ଚ୍ଚ ୧୧ ତାରିଖ ଦିନ ଦିଲ୍ଲୀ ପୁଷାରେ ନମୋ ଡ୍ରୋନ ଦିଦି ଓ ଲକ୍ଷପତି ଦିଦି ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ମାର୍ଚ୍ଚ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଦ୍ୱାରକା ଏକ୍ସପ୍ରେସୱେର ହରିୟାଣା ଖଣ୍ଡ ଲୋକାର୍ପିତ ହେବ। ମାର୍ଚ୍ଚ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ସାବରମତି  ଗସ୍ତକାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.