ଆଜି ଉନ୍ମୋଚିତ ହେବ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ; ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | October 31, 2018 IST

ଭଦୋଦରା ୩୧|୧୦: ଆଜି ଗୁଜରାଟରେ  ଉନ୍ମୋଚିତ ହେବ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ୧୮୨ ମିଟର ଉଚ୍ଚର ନିର୍ମିତ ଏହି ପ୍ରତିମୂର୍ତ୍ତିର ଅନାବରଣ ପରେ ବାୟୁସେନାର ତିନି  ବିଭାଗ ଉଡ଼ାଣ ଭରିବେ । ଏହା ସହ କମଳା, ଧଳା ଓ ସବୁଜ ରଙ୍ଗରେ ଆକାଶରେ ତ୍ରିରଙ୍ଗା ଆଙ୍କିବେ । ପଟେଲଙ୍କ ପ୍ରତିମୂର୍ତ୍ତି ପାଖରେ  ୱାଲ ଅଫ ୟୁନିଟି’ର ଉନ୍ମୋଚନ ମଧ୍ୟ କରିବେ ମୋଦି । ଏହା ପରେ ମୋଦି ପଟେଲଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବେ । ଅକ୍ଟୋବର ୩୧ ତଥା ଆଜି ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀ । ଏହି ଅବସରରେ ପଟେଲଙ୍କ ପ୍ରତିମୂର୍ତ୍ତିରେ ଦୁଇଟି ଏମଆଇ-୧୭ ହେଲିକପ୍ଟର ପ୍ରତିମୂର୍ତ୍ତି ଉପରେ ପୁଷ୍ପ ବର୍ଷା କରିବେ।  ଗୁଜରାଟ ପୋଲିସ, ସଶସ୍ତ୍ର ଅର୍ଦ୍ଧସୈନିକ ବଳର ବ୍ୟାଣ୍ଡ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହେବ ।  ୨୯ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର କଳାକାର ନୃତ୍ୟ ପରିବେଷଣ କରିବେ । ଏହାକୁ ଦେଖିବା ପାଇଁ ଦୈନିକ ୧୫ହଜାର ଦର୍ଶକ ଆସିବା ନେଇ ଅନୁମାନ କରାଯାଉଛି । ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ଠାରୁ ଏହା ଦୁଇ ଗୁଣ ଉଚ୍ଚ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରିବା ଲାଗି ୪ବର୍ଷ ଲାଗିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣରେ ୩ ହଜାର ୭୦୦ ଜଣ ଶ୍ରମିକ ଏବଂ ୨୫୦ ଜଣ ଇଂଜିନିୟର ଲାଗିଥିଲେ । ଏହି ମୂର୍ତ୍ତିକୁ ନିର୍ମାଣ କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତ୍ତି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତ୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ୍ ବ୍ୟବହାର ହୋଇଛି । ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତ୍ତି ନିର୍ମାଣରେ । ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.