ନୂଆଦିଲ୍ଲୀ ୨୩/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିସାରିଛନ୍ତି । ଆମେରିକା ନିର୍ବାଚନ ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ ହୋଇଥିବା ବେଳେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ବାଇଡେନଙ୍କୁ ଭେଟିବେ ମୋଦି । ଏହା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆମେରିକା ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଭବ ମହିଳା କମଲା ହାରିସ୍ଙ୍କୁ ମଧ୍ୟ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । କମଲା ହାରିସଙ୍କ ସହିତ ଭେଟକୁ ନେଇ ଆରେମିକାରେ ୨ ଭାରତୀୟଙ୍କ କନେକ୍ସନ୍ ହେବ ବୋଲି କୁହାଯାଉଛି ।
ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟଘାଟକୁ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । କାରଣ ଏହା ପ୍ରଥମ ଥର ପାଇଁ ହେଉଛି ଯାହାକି, ଜଣେ ଭାରତୀୟ ବଂଶୋଭବ ଆମେରିକୀୟ ଉପରାଷ୍ଟ୍ରପତି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆମେରିକାରେ ସ୍ବାଗତ କରୁଛନ୍ତି ।
ମୋଦିଙ୍କ ଗସ୍ତକୁ ନେଇ ଆମେରିକା ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । The Los Angeles Times ଲେଖିଛି ଯେ, ‘ଆମେରିକାରେ ରହୁଥିବା ଭାରତୀୟ ସମୁଦାୟଙ୍କ ପାଇଁ ଏହା ଏକ ଐତିହାସିକ ମୂହୁର୍ତ୍ତ’ । ୫୬ ବର୍ଷୀୟ କମଲା ହାରିସ୍ ଆରେମିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଏବଂ ଭାରତୀୟ ବଂଶୋଭବ ।
ମୋଦି ସେଠାରେ ପ୍ରଥମେ ବିଭିନ୍ନ କମ୍ପାନୀର ସିଇଓଙ୍କ ସହିତ ବ୍ୟବସାୟିକ କାରବାର ନେଇ ଆଲୋଚନା କରିବେ । ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପୂର୍ବରୁ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ଭେଟିବେ ମୋଦି । ମୋଦି ଏବଂ ବାଇଡେନ୍ଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଯେପରିକି ବ୍ୟବସାୟିକ କାରବାର, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ଆଲୋଚନା ହେବ ।
ଉପରାଷ୍ଟ୍ରପତି କମଲା ହାରିସ ଭାରତୀୟ ବଂଶୋଭବ । ତାଙ୍କ ମା ତାମିଲନାଡୁ ଚେନ୍ନାଇର ବସିନ୍ଦା ଥିଲେ । କମଲା ହାରିସ୍ ଉପରାଷ୍ଟ୍ରପତି ଭାବେ ଶପଥ ନେବାପରେ ଭାରତରେ ମଧ୍ୟ ଉତ୍ସବ ମନାଯାଉଥିଲା । କରୋନା ମହାମାରୀ ପରେ ଏହା ମୋଦିଙ୍କର ପ୍ରଥମ ଆମେରିକା ଗସ୍ତ । ଏହି ଗସ୍ତରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଏବଂ ବୈଠକରେ ଯୋଗଦେବେ । କ୍ବାଡ୍ ଦେଶମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା ବୈଠକରେ ସମ୍ବୋଧିତ କରିବେ ।