ଜନଜାତି ଦିବସରେ ଆଦିବାସୀଙ୍କୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ, ଖର୍ଚ୍ଚ ହେବ ୨୪ ହଜାର କୋଟି

Published By : Prameya-News7 Bureau | November 13, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀଙ୍କ ଉତ୍ଥାନ ପାଇଁ ନଭେମ୍ୱର ୧୫ରେ ଏକ ନୂଆ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିବେ । ଜନଜାତି ଗୌରବ ଦିବସ ଅବସରରେ ୨୪,୦୦୦ କୋଟି ଟଙ୍କାର ନୂଆ ସ୍କିମ୍ ଲଞ୍ଚ କରିବେ । ଦେଶ ସ୍ୱାଧୀନତା ପରଠୁ ଏହା ଏହିପରି ପ୍ରଥମ ଯୋଜନା ହେବ । ଏହାକୁ ପିଏମ୍ ପିଭିଟିଜି ((Particularly Vulnerable Tribal Groups) ଡେଭ୍‌ଲପମେଣ୍ଟ ମିଶନ ନାଁ ଦିଆଯାଇଛି । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟ୍‌ରେ ଏହି ମିଶନ ଘୋଷଣା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ବିଶେଷ ରୂପେ ସମ୍ୱେଦନଶୀଳ ଜନଜାତି ସମୂହ (ପିଭିଟିଜି)ଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ସୁଧାର ଆଣିବା । ଦେଶର ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଏହିପରି ପ୍ରାୟ ୭୫ ଜନଜାତି ଅଛନ୍ତି । ୨୦୦ ଜିଲ୍ଲାରେ ୨୨,୫୪୪ ଗାଁରେ ଏମାନେ ବସବାସ କରୁଥିବା ବେଳେ ଏମାନଙ୍କ ସଂଖ୍ୟା ପ୍ରାୟ ୨୮ ଲକ୍ଷ ରହିଛି ।

ପଢନ୍ତୁ: ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଗୀତ ଗ୍ରାମୀ ପାଇଁ ମନୋନୀତ

ଏହି ଜନଜାତିର ଅଧିକାଂଶ ଲୋକ ଘଞ୍ଚ ଜଙ୍ଗଲରେ ବାସ କରନ୍ତି ଓ ସେମାନଙ୍କ ନିକଟରେ ପହଞ୍ଚିବା ସହଜ ନୁହେଁ । ଏହି କାରଣରୁ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ସୂତ୍ର ଅନୁସାରେ ଏହି ଜନଜାତି ବାସ କରୁଥିବା ଅଞ୍ଚଳରେ ରାସ୍ତ ଓ ଟେଲିକମ୍ କେନକ୍ଟିଭିଟି, ବିଜୁଳି, ହାଉସିଂ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ସୁବିଧା ଉପଲବ୍ଧ କରାଯିବ । ଏହାସହ ସେମାନଙ୍କ ପାଇଁ ଆଜୀବିକା ସୁଯୋଗ ପ୍ରଦାନ କରାଯିବ । ଏହି ମିଶନକୁ ନଅ ମନ୍ତ୍ରାଳୟର ୧୧ ଯୋଜନା ଜରିଆରେ ଲାଗୁ କରାଯିବା । ଯୋଜନାରେ କିଛି ସର୍ତ୍ତକୁ କୋହଳ କରାଯିବ ।

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ଆଦିବାସୀଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ତାରିଖ ନଭେମ୍ୱର ୧୫କୁ ବାଛିଛନ୍ତି ସରକାର । ଏହି ଦିନ ସ୍ୱାଧୀନତା ସଂଗ୍ରାମର ନାୟକ ତଥା ଆଦିବାସୀ ସମାଜରେ ଭଗବାନ କୁହାଯାଉଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ । ବିର୍ସା ମୁଣ୍ଡା ୧୮୫୭ ବିଦ୍ରୋହ ପୂର୍ବରୁ ବି ଇଂରେଜଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ । ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ୱର ୧୪ ସଂଧ୍ୟାରେ ରାଞ୍ଚିର ବିର୍ସା ମୁଣ୍ଡା ଏୟାରପୋର୍ଟରେ ପହଞ୍ଚିବେ । ଏହାପରେ ସେ ବିମାନ ବନ୍ଦରରୁ ରାଜଭବନ ଯାଏ ରୋଡ୍ ଶୋ କରିବେ । ନଭେମ୍ୱର ୧୫ ସକାଳେ ସେ ରାଜଧାନୀର ଜେଲ୍ ଛକ ସ୍ଥିତି ଭଗବାନ ବିର୍ସା ମୁଣ୍ଡ ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଯିବେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉଲିହାତୁରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥଳୀରେ ତାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବେ । ଏଠାରେ ହିଁ ସେ ଏହି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରିବେ ।

Also Read: ନିର୍ବାଚନୀ ରାଲିରେ ଭାବବିହ୍ୱଳ ହୋଇପଡିଲେ ଏମଆରପିଏସ୍‌ ମୁଖ୍ୟ, ଆଲିଙ୍ଗନ କରି ସାନ୍ତ୍ୱନା ଦେଲେ ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.