ନୂଆଦିଲ୍ଲୀ ୨୯/୧୧: କରୋନା ମହାମାରୀ ଓ ଲକ୍ଡାଉନ୍ ପରେ ଭାରତ ନିଜର ବିଭିନ୍ନ କ୍ଷେତ୍ରକୁ ମଜଭୁତ କରୁଛି। ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଅଗ୍ରଗତି କରୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଡିଆରଡିଓ ଅତ୍ୟାବଶ୍ୟକ ଆଣ୍ଟି ଡ୍ରୋନ୍ସ ସିଷ୍ଟମର ବିକାଶ ଓ ଊତ୍ପାଦନ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସକୁ ଦାୟୀତ୍ବ ଦେଇଛି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ଆଣ୍ଟି ଡ୍ରୋନ୍ ସିଷ୍ଟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ମଧ୍ୟ ନିୟୋଜିତ କରାଯିବ। ମୋଦିଙ୍କ କାଫିଲାରେ ‘ଡ୍ରୋନ୍ କିଲର’କୁ ସାମିଲ କରାଯିବା ଫଳରେ କୌଣସି ପ୍ରକାର ବିପଦକୁ ଏଡ଼ାଇ ଦିଆଯାଇପାରିବ।
ପାକିସ୍ତାନୀ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ବର୍ଡର ପାର କରି ବିଭିନ୍ନ ପ୍ରକାର ଅସ୍ତ୍ର ଶସ୍ତ୍ର ଚୀନ ନିର୍ମିତ ଡ୍ରୋନ୍ ମାଧ୍ୟମରେ ଜାମ୍ମୁ କାଶ୍ମୀରକୁ ପଠାଉଛି। ଶତ୍ରୁ ପକ୍ଷର ଡ୍ରୋନ୍କୁ କିଛି ସେକେଣ୍ଡରେ ନିଷ୍କ୍ରିୟ କରିବା ସହ ଧ୍ବଂସ କରିବାକୁ ଡିଆରଡିଓ ଆଣ୍ଟି ଡ୍ରୋନ୍ ଟେକନୋଲୋଜିର ବିକଶିତ କରୁଛି।
ରିପୋର୍ଟରୁ ଜଣାପଡ଼ିଛି ଡିଆରଡିଓ ମୁଖ୍ୟ ସତିଶ ରେଡ୍ଡି ଖୁବଶୀଘ୍ର ଦେଶୀ ଆଣ୍ଟି ଡ୍ରୋନ୍ ସିଷ୍ଟମ ଉତ୍ପାଦନ ସମ୍ପର୍କରେ ସେନାଙ୍କୁ ସୂଚନା ଦେବେ। ଆସନ୍ତାବର୍ଷ ସ୍ବାଧୀନତା ଓ ସ୍ବତନ୍ତ୍ରତା ଦିବସରେ ନିୟୋଜିତ ହେବାକୁ ଯାଉଥିବା ଏହି ଡ୍ରୋନ୍ର ରେଞ୍ଜ ୨-୩ କିମି ରହିବ। ଏହାର ରାଡାର ଡ୍ରୋନ୍କୁ ଖୋଜିବା ସହ ଫ୍ରିକ୍ୟୁଏନ୍ସି ସିଗନାଲ୍ ମାଧ୍ୟମରେ ୟୁଏବିକୁ ଜାମ କରିପାରିବ । ଡ୍ରୋନ୍ ଖୋଜିବା ପରେ ଲେଜର ବିମ୍ ସାହାଯ୍ୟରେ ନଷ୍ଟ କରିପାରିବ ଦେଶୀ ‘ଡ୍ରୋନ୍ କିଲର’। ତେବେ ଏହାର ପରୀକ୍ଷଣ ଏଲଓସିରେ ହୋଇଥିବା ନେଇ ସୂଚନା ମିଳିଛି।