ବିଜେପିର ମିଶନ ପଶ୍ଚିମବଙ୍ଗ, ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦିନ ଗସ୍ତ

Published By : Prameya-News7 Bureau | February 23, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହେବ । ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ପ୍ରଥମ ସପ୍ତାହରେ ପଶ୍ଚିମବଙ୍ଗକୁ ତିନି ଦିନ ଗସ୍ତ କରିବେ । ମାର୍ଚ୍ଚ ୧-୨ ପରେ ମାର୍ଚ୍ଚ ୬ରେ ପୁଣି ଥରେ ବେଙ୍ଗଲ ଗସ୍ତ କରିବେ । ମାର୍ଚ୍ଚ ୧ରେ ଆରାମବାଗରେ ପ୍ରଧାନମନ୍ତ୍ରୀଙ୍କ ଜନସଭା, ମାର୍ଚ୍ଚ ୨ରେ କୃଷ୍ଣାନଗରରେ ପ୍ରଧାନମନ୍ତ୍ରୀଙ୍କ ଜନସଭା ଏବଂ ମାର୍ଚ୍ଚ ୬ରେ ବାରାସାତ ଗସ୍ତ କରିବେ ।  

ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଗୋଟିଏ ଦିନ ପୂର୍ବେ କହିଥିଲେ ଯେ  ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୬ରେ ରାଜ୍ୟର ଉତ୍ତର ୨୪ ପରଗନା ଜିଲ୍ଲାର ବାରାସାତରେ ମହିଳାଙ୍କ ଏକ ରାଲିକୁ ସମ୍ୱୋଧିତ କରିବେ । ମଜୁମଦାର ଏହାମଧ୍ୟ କହିଥିଲେ, ‘ଯଦି ସନ୍ଦେଶଖାଲିର ମାଆ-ଭଉଣୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ଚାହାନ୍ତି ତେବେ ଆମେ ନିଶ୍ଚିତ ରୂପେ ଏହାର ବ୍ୟବସ୍ଥା କରିବୁ’। ଉଲ୍ଲେଖଯୋଗ୍ୟ ଯେ ସନ୍ଦେଶଖାଲିରେ ବହୁ ସଂଖ୍ୟାରେ ମହିଳାମାନେ ତ୍ରୁଣମୂଳ କଂଗ୍ରେସର ଟାଣୁଆ ନେତା ଶାହଜହାନ ଶେଖ ଏବଂ ଏହାର ସମର୍ଥକଙ୍କ ନାଁରେ ଜମି ହଡ଼ପ ଏବଂ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ।

ପଢନ୍ତୁ: ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ! ବ୍ୟାକ୍‌ଫୁଟ୍‌ରେ ମମତା ବାନାର୍ଜୀ

ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ହେଉଛି । ଏହାକୁ ନେଇ ବିଜେପିର ମିଶନ ବେଙ୍ଗଲ ଜୋର ଧରିବ । ବିଜେପି ଏଠାରେ ୪୨ରୁ ୩୦ ଆସନ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ତେଣୁ ବିଜେପି ପାଇଁ ପଶ୍ଚିମବଙ୍ଗ ଗୁରୁତ୍ୱ ବହନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ନିଜର ପଶ୍ଚିମବଙ୍ଗ ଗସ୍ତରେ ମହିଳା ସୁରକ୍ଷା ଉପରେ ବଡ଼ ସନ୍ଦେଶ ଦେଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ସନ୍ଦେଶଖାଲି ଘଟଣା ପରେ ବିଜେପି ଲଗାତାର ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି । ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଥାଇ ମହିଳାମାନେ ଅସୁରକ୍ଷିତ ବୋଲି ବିଜେପି ଅଭିଯୋଗ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.