ମସୁର ଡାଲି ଓ ମୁଗ ଡାଲି ଭିତରେ ଫରକ ଜାଣନ୍ତିନି ରାହୁଲ: ନରେନ୍ଦ୍ର ମୋଦି
28/11/2018 at 4:05 PM

ନଗୈାର ୨୮/୧୧: ରାଜସ୍ଥାନର ନଗୈାରଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ, ଚଣା ବୃକ୍ଷରେ ଫଳେ ନା ଛୋଟ ଛୋଟ ଗଛରେ ଫଳେ ତାହା ଯିଏ ଜାଣିନାହିଁ ଏବଂ ମସୁର ଡାଲି ଓ ମୁଗଡାଲି ମଧ୍ୟରେ ଫରକ ଜାଣିନଥିବା ଲୋକେ ଏବେ ଦେଶବାସୀଙ୍କୁ ଚାଷ କେମିତି ହୁଏ ବୁଝାଉଛନ୍ତି । ଏଥି ସହିତ ମୋଦି କହିଥିଲେ ଯେ, ସେ ଦିଲ୍ଲୀ ହେଉ କି ରାଜସ୍ଥାନ : ସବୁଠି ଭାରତୀୟ ଜନତା ପାର୍ଟି ଯେଉଁଠି ବି ସରକାରରେ ରହିଛି ସେଠି ଏକମାତ୍ର ମନ୍ତ୍ର ହେଉଛି –ସବକା ସାଥ : ସମକା ବିକାଶ।
ମୋଦି ନଗୈାରଠାରେ କହିଥିଲେ ଯେ, ‘‘ଦେଖନ୍ତୁ ନା ଆପଣଙ୍କ ମୁହଁରେ ରୂପାର ଚାମଚ ନେଇ ଜନ୍ମ ହୋଇଛନ୍ତି ନା ମୁଁ…. ଆପଣଙ୍କ ଜେଜେ କି ଜେଜି ରାଜ କରୁଥିଲେ ନା ମୋର। ଜଣେ ମୂଲିଆ ଆପଣଙ୍କଠୁ ଆଶୀର୍ବାଦ ନେବାକୁ ଆସିଛି। ଆଜି ଜଣେ କାମବାଲାର ଲଢ଼େଇ ନାମବାଲା ସହିତ ହେଉଛି। ଆପଣ ଯେଉଁ ଜୀବନ ବିତାଉଛନ୍ତି, ମୁଁ ବି ସମାନ ଜୀବନ ବିତାଉଛି। ଧନୀ ଲୋକଙ୍କ ପାଖରେ ଚିକିତ୍ସା ପାଇଁ ବହୁ ବିକଳ୍ପ ରହିଛି। କିନ୍ତୁ ଆମ ଗରୀବ ଭାଇମାନଙ୍କ ପାଇଁ କ’ଣ? କିନ୍ତୁ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇଥିବା ଲୋକେ ଏକଥା କେମିତି ବୁଝିବେ ’’ ବୋଲି ପ୍ରଶ୍ନ କରିଥିଲେ ମୋଦି। ମୋଦି କହିଥିଲେ ଯେ, କାଠଚୁଲି କେମିତି ଜଳେ ତାହା ନାମଦାର ଲୋକଙ୍କୁ ଜଣାନାହିଁ। କାରଣ ‘‘ ପିଲାବେଳେ ମା କେମିତି ଚୁଲି ଫୁଙ୍କୁଥିଲେ ଓ ଧୂଆଁ ଧାସରେ କଷ୍ଟ ପାଇଥିଲେ ମୁଁ ଦେଖିଛି। ତେବେ ରାଜସ୍ଥାନବାସୀଙ୍କ ଗୋଟିଏ ସୁଚିନ୍ତିତ ଭୋଟ ଯୋଗୁଁ ରାଜସ୍ଥାନର ୫୦ଲକ୍ଷ ମହିଳା ଏବେ ଧୂଆଁ ଆଉ ଧାସରୁ ମୁକ୍ତି ପାଇଛନ୍ତି।
ନିଜ ଉଦବୋଧନ ଶେଷ ବେଳକୁ ମୋଦି କହିଥିଲେ ଯେ, ସଦ୍ଦାର ପଟେଲ ଯଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ଆଜି ଚାଷୀଙ୍କ ଅବସ୍ଥା ଏଭଳି ଥାନ୍ତା। ତେବେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ୟୁରିଆ ଚୋରୀ ରୋକିବାରେ ସକ୍ଷମ ହୋଇଛି। ତେଣୁ ଚାଷୀମାନେ ଏହାର ସୁଫଳ ପାଇଛନ୍ତି ବୋଲି ମୋଦି କହିଥିଲେ।