୭୫ ଦିନରେ ୨୦୬ ନିର୍ବାଚନୀ ରାଲି, ପ୍ରଚଣ୍ଡ ରୌଦ୍ରତାପରେ ପିଏମ୍ ମୋଦୀ ଭାଙ୍ଗିଲେ ନିଜର ରେକର୍ଡ

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ: ଏପ୍ରିଲ-ମେ ମାସର ଭୀଷଣ ଗରମ ଏବଂ ନିର୍ବାଚନୀ ଉତ୍ସବ ଭିତରେ ପିଏମ୍ ମୋଦୀଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳୁଛି । ତାହା ମଧ୍ୟ ଏତେ ଅଧିକ ଯେ ସେ ନିଜର ପୂର୍ବ ରେକର୍ଡକୁ ହିଁ ଭାଙ୍ଗିଛନ୍ତି । ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦୀ ୨୦୬ ରାଲି, କାର୍ଯ୍ୟକ୍ରମ ଏବଂ ରୋଡ୍ ଶୋ' କରିଛନ୍ତି । ଏହାସହ ପ୍ରାୟ ୮୦ ସାକ୍ଷାତକାର ଦେଇଛନ୍ତି । ମାର୍ଚ୍ଚ ୧୬ରେ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ପରେ ୭୫ ଦିନ ଯାଏ ଚାଲିଥିବା ଲୋକସଭା ନିର୍ବାଚନର ପ୍ରଚାର ଆଜି ଶେଷ ହୋଇଛି । ସପ୍ତମ ପର୍ଯ୍ୟାୟ ପାଇଁ ଶନିବାର ଜୁନ୍ ୧ରେ ମତଦାନ ହେବ । ଜୁନ୍ ୪ରେ ରେଜଲ୍ଟ ଘୋଷଣା ହେବ ।

ଚଳିତ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ପ୍ରଚାର କରିଛନ୍ତି । ପିଏମ୍ ମୋଦୀ ୨୦୬ ରାଲି, କାର୍ଯ୍ୟକ୍ରମ ଏବଂ ରୋଡ୍ ଶୋ କରିଛନ୍ତି, ଯାହା ଏକ ରେକର୍ଡ । ୨୦୧୯ ଲୋକସଭା ନିର୍ବାଚନରେ ପିଏମ୍ ମୋଦୀ ୧୪୨ ରାଲି କରିଥିଲେ । ଏହି ସମୟରେ ପିଏମ୍ ମୋଦୀ ଟିଭି ଚ୍ୟାନେଲଗୁଡ଼ିକୁ ୮୦ ସାକ୍ଷାତକାର ଦେଇଥିଲେ । 

ପିଏମ୍ ମୋଦୀ ଚାରି ରାଜ୍ୟରେ ସବୁଠୁ ଅଧିକ ଫୋକସ୍ ଦେଇଛନ୍ତି । ସେ ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ସବୁଠୁ ଅଧିକ ରାଲି କରିଛନ୍ତି । ସେ ୟୁପିରେ ୩୧, ବିହାରରେ ୨୦, ମହାରାଷ୍ଟ୍ରରେ ୧୯ ଏବଂ ପଶ୍ଚିମବଙ୍ଗରେ ୧୮ ରାଲି କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଲୋକସଭାର ୨୧୦ ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଆସନ ରହିଛି । ମେ' ମାସର ଭୀଷଣ ଗରମରେ ପିଏମ୍ ମୋଦୀ ସବୁଠୁ ଅଧିକ ପ୍ରଚାର କରିଛନ୍ତି । ସାରା ଦେଶରେ ୯୬ ରାଲି, କାର୍ଯ୍ୟକ୍ରମ ଏବଂ ରୋଡ୍ ଶୋ' କରିଛନ୍ତି । 

ଆନ୍ଧ୍ର ପ୍ରଦେଶର ପାଲନାଡୁରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପରେ ପିଏମ୍ ମୋଦୀ ଏହି ଅଭିଯାନର ସମାପନ ମେ ୩୦ରେ ପଞ୍ଜାବର ହୋସିଆରପୁରରେ ହୋଇଛି । ଅର୍ଥାତ୍ ୭୫ ଦିନର ଏହି ଅବଧିରେ ପିଏମ୍ ମୋଦୀ ୧୮୦ ରାଲି ଏବଂ ରୋଡ୍ ଶୋ କରିଛନ୍ତି । ଅନ୍ୟ କାର୍ଯ୍ୟକ୍ରମକୁ ମିଶାଇ ଏହି ସଂଖ୍ୟା ୨୦୬ ହୋଇଛି । ଏହାର ଅର୍ଥ ପ୍ରତିଦିନ ପିଏମ୍ ମୋଦୀ ଦୁଇରୁ ଅଧିକ ରାଲି ଏବଂ ରୋଡ୍ ଶୋ' ସହ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଏହାସହ ପ୍ରାୟ ୧୫୪.୫ ଘଣ୍ଟାର ଭାଷଣ ଏବଂ ଟିଭି ଚ୍ୟାନେଲ ଏବଂ ଖବରକାଗଜର ପ୍ରାୟ ୧୦୦୦ରୁ ଅଧିକ ପ୍ରଶ୍ନ ଉପରେ ନିଜ ମତ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.