ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ; 'ଏହା ଦେଶ ପାଇଁ ସ୍ଵର୍ଣ୍ଣିମ କାଳଖଣ୍ଡ, ହାତଛଡ଼ା କରିବା ଉଚିତ୍ ନୁହେଁ'

Published By : Prameya-News7 Bureau | August 15, 2024 IST

ନୂଆଦିଲ୍ଲୀ, ୧୫/୦୮ : ଦେଶ ପାଳୁଛି ୭୮ତମ ସ୍ଵାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ଭାବେ ୧୧ତମ ଥର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ଵାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ସ୍ଵାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଚିର ଋଣୀ। ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ। ଦେଶ ସ୍ବାଧୀନତା ଲମ୍ଵା ଲଢେଇ କରିଥିଲା। ପୂର୍ବଜମାନେ ଆମକୁ ବ୍ରିଟିଶ ସରକାରଙ୍କ ପରାଧୀନତା ଶୃଙ୍ଖଳରୁ ମୁକ୍ତି ଦେଇଥିଲେ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଆମେ ୪୦ କୋଟି ଥିଲୁ ସେତେବେଳେ ମହାସତ୍ତାକୁ ହରାଇ ଥିଲୁ, ଏବେତ ୧୪୦ କୋଟି ଭାରତୀୟ ଅଛନ୍ତି। ଏକ ସମୟ ଥିଲା ଲୋକମାନେ ଦେଶ ପାଇଁ ଜୀବନ ଦେବାକୁ ପ୍ରତିବଦ୍ଧ ଥିଲେ। ଆଜି ସମୟ ଆସିଛି ଦେଶ ପାଇଁ ଜିଇଁବାକୁ ପ୍ରତିବଦ୍ଧ ହେବା। ସ୍ବାଧୀନତା ପାଇଁ ସଂଗ୍ରାମୀମାନେ ଯଦି ସର୍ବୋଚ୍ଚ ବଳିଦାନ ଦେଇ ପାରିଲେ, ତେବେ ଦେଶ ପାଇଁ ବଞ୍ଚିବାର ପ୍ରତିବଦ୍ଧତା ଭାରତ ପାଇଁ ସମୃଦ୍ଧି ଆଣିଦେବ । ଆମେ ନେସନ ଫାଷ୍ଟ ସଂକଳ୍ପ ଦ୍ଵାରା ପ୍ରେରିତ। ରାଷ୍ଟ୍ରହିତ ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ।


ମୋଦି କହିଛନ୍ତି ଯେ, ଭୋକାଲ ଫର୍ ଲୋକାଲ ଅର୍ଥତନ୍ତ୍ରର ନୂଆ ମନ୍ତ୍ର ପାଲଟିଛି। ଗ୍ଲୋବାଲ ୱାର୍ମିଂକୁ ନେଇ ଦେଶରେ ଅନେକ କାମ ହୋଇଛି। ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକ୍ ହେଉଛି। ୧୫ କୋଟି ପରିବାରକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଛି। ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ଵାସ ଦେଇଛୁ। ଅନେକ ସଂସ୍କାର ଆଣିଛୁ। ନୂଆ ସିଷ୍ଟମ ଉପରେ ଦେଶବାସୀଙ୍କ ଆତ୍ମବିଶ୍ଵାସ ବଢିଛି। ଦେଶରେ ଯୁବକଙ୍କ ପାଇଁ ସମ୍ଭାବନା ବଢିଛି। ବିଜ୍ଞାନ, କୃଷି ଓ ନିର୍ମାଣକୁ ନେଇ ଅନେକ ପରାମର୍ଶ ମିଳିଛି। ବ୍ୟାଙ୍କିଂ କ୍ଷେତ୍ରକୁ ମଜବୁତ କରାଯାଇଛି। ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ। ଏହା ଦେଶ ପାଇଁ ସ୍ଵର୍ଣ୍ଣିମ କାଳଖଣ୍ଡ। ଏହି ସ୍ଵର୍ଣ୍ଣିମ କାଳଖଣ୍ଡକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ଆର୍ଥିକ କ୍ଷେତ୍ରରେ ମହିଳାମାନେ ସ୍ଵାବଲମ୍ଵୀ ହେଉଛନ୍ତି। ଏସଏଚଜିରେ ୧୦ କୋଟି ମହିଳା ଯୋଡି ହୋଇଛନ୍ତି।

ଲଗାତାର ତୃତୀୟ ଥର ପାଇଁ ସେବା କରିବାର ସୁଯୋଗ ମିଳିଛି। ଜନତାଙ୍କ ସେବା ଆମର ପ୍ରଥମ ସଂକଳ୍ପ। ଜନତାଙ୍କ ସେବାରୁ ବିକଶିତ ଭାରତର ସମ୍ଭାର। ନୂଆ ଶିକ୍ଷନୀତି ଜରିଆରେ ଆମକୁ ନୂଆ ବଳ ମିଳିଛି। ଯୁବକମାନେ ଶିକ୍ଷା ପାଇଁ ବିଦେଶ ନଯାଆନ୍ତୁ। ନୂଆ ଶିକ୍ଷାନୀତିରେ ମାତୃଭାଷା, ବିଜ୍ଞାନ ଓ ଜ୍ଞାନ କୌଶଳକୁ ଗୁରୁତ୍ଵ ଦିଆଯାଇଛି। ଗବେଷଣାକୁ ଅଧିକ ସୁଦୃଢ କରିବା ଆମର ପ୍ରାଥମିକତା। ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ସୃଷ୍ଟି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.