ବାରାଣସୀ,୧୪/୦୫: ମଙ୍ଗଳବାର ନାମାଙ୍କନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାରମ୍ପରିକ ବାରାଣସୀ ଲୋକସଭା ଆସନରୁ ସେ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ବିଶାଳ ଶୋଭାଯାତ୍ରରେ ଆସି ନାମାଙ୍କନ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଜୁନ୍ ୧ରେ ହେବାକୁ ଥିବା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ବାରାଣସୀ ଲୋକସଭା ଆସନରେ ମତଦାନ ହେବ । ବାରାଣସୀରୁ ଲଗାତର ତୃତୀୟ ଥର ଜିତିବା ପାଇଁ ଆଶା ରଖିଛନ୍ତି ପିଏମ୍ ମୋଦି ।
ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପିର ବାରାଣସୀରେ ୩ ଘଣ୍ଟା ଧରି ରୋଡ୍ ସୋ’ କରିଥିଲେ । ଏହା ୬ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ରୋଡ୍ ସୋ’ ମୋଦିଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ।
ମଙ୍ଗଳବାର ଆର୍ଥତ୍ ଆଜି ତୃତୀୟ ଥର ପାଇଁ ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ । ନାମାଙ୍କନ ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ପ୍ରଥମେ ବନାରସର ଦଶାଶ୍ବମେଧ ଘାଟ ଯିବେ ସେଠାରେ ପୂଜାର୍ଚ୍ଚନା କରିସାରିବା ପରେ ଦିନ ୧୦ଟାରେ କାଳ ଭୈରବୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରିବେ ।
ମୋଦିଙ୍କୁ ନାମାଙ୍କନ ଦାଖଲ କରିବାର ସମୟ ସାରଣୀ ଅନୁଯାୟୀ, ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ୧୦.୪୫ରେ ଏନଡିଏ ନେତାଙ୍କ ସହିତ ବୈଠକ କରିବେ। ଏହା ପରେ ୧୧.୦୦ରୁ ୧୨ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ବାରାଣସୀ ଲୋକସଭା ଆସନରେ ନାମାଙ୍କନ ଦାଖଲ କରିବେ । ପ୍ରାର୍ଥିପତ୍ର ଦାଖଲ ପରେ ମୋଦି ଝାଡ଼ଖଣ୍ଡ ଗସ୍ତରେ ଯିବେ ।
ସୋମବାର ପିଏମ ମୋଦି ବନାରସ ପହଞ୍ଚି ହିନ୍ଦୁ ବିଶ୍ୱବିଦ୍ୟାଳୟ ଗେଟ୍ଠାରେ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରୋଡ୍ ସୋ’ ଆରମ୍ଭ କରିଥିଲେ । ମୋଦିଙ୍କୁ ସ୍ୱାଗତ ଜଣାଇବା ଲାଗି ରାସ୍ତାସାରା ୧୦୦ଟି ମଞ୍ଚ ପ୍ରସ୍ତୁତ ହୋଇଥିଲା । ମଞ୍ଚ ଉପରେ ଚଢ଼ି ଲୋକେ ‘ହର-ହର ମୋଦି’ ସ୍ଲୋଗାନ ଦେଇଥିଲେ । ୫୧ଟି ସ୍ଥାନରେ ମୋଦିଙ୍କର ଆରତି ହୋଇଥିଲା । ଡମ୍ବରୁ ବାଦନ, ଶେହନାଇ ଏବଂ ଶଙ୍ଖନାଦରେ ଚାରିଆଡ଼ ପ୍ରକମ୍ପିତ ହୋଇଯାଇଥିଲା । ମୋଦି ଓ ଯୋଗୀ ହାତ ଯୋଡ଼ି ଲୋକଙ୍କର ଅଭିବାଦନ କରିଥିଲେ