ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶପଥ ନେଲେ ୭୨ ମନ୍ତ୍ରୀ; ଉତ୍ତରପ୍ରଦେଶରୁ ସର୍ବାଧିକ ୧୦, ଓଡିଶାରୁ ୩ଜଣ

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି । ଏହା ସହିତ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁଙ୍କ ଲଗାତାର ୩ଥର ଶପଥ ନେବାର ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି । ମୋଦିଙ୍କ ସହିତ ନୀତିନ୍ ଗଡକରୀ, ଅମିତ୍ ଶାହ, ରାଜନାଥ ସିଂହ, ଶିବରାଜ ସିଂହ ଚୌହାନ ଏବଂ ନିର୍ମଳା ସୀତାରମଣ ସହିତ ବହୁ ସାଂସଦ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 

କେଉଁ ରାଜ୍ୟରେ କେତେ ସାଂସଦଙ୍କୁ ମିଳିଛି ମନ୍ତ୍ର ପଦ;

ମୋଦିଙ୍କ ମନ୍ତ୍ରିପରିଷଦରେ ୧୦ଜଣ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିଛି । ପୂର୍ବଥର ପ୍ରତିରକ୍ଷା ଦାୟିତ୍ବ ସମ୍ଭାଳିଥିବା ରାଜନାଥ ସିଂହଙ୍କୁ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇଛି । ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ସେହିପରି ରାଜ୍ୟସଭା ସାଂସଦ ହରଦୀପ ସିଂହ ପୁରୀ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜୟନ୍ତ ଚୌଧୁରୀ ରାଜ୍ୟମନ୍ତ୍ରୀ, ଜିତିନ ପ୍ରସାଦ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ୍, ଏସପି ସିଂହ ବଘେଲ, କୀର୍ତ୍ତିବର୍ଦ୍ଧନ ସିଂହ, ବିଏଲ ବର୍ମା ଏବଂ କମଲେଶ ପାଶଓ୍ବାନ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ବିହାରରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୮ଜଣ ସାଂସଦଙ୍କୁ ସାମିଲ୍ କରାଯାଇଛି । ହିନ୍ଦୁସ୍ତାନ ଆଓ୍ବାନ ମୋର୍ଚ୍ଚା ସାଂସଦ ଜିତନରାମ ମାନଝୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଜେଡିୟୁ ସାଂସଦ ରାଜୀବ ରଞ୍ଜନ ସିଂହଙ୍କୁ କ୍ୟାବିନେଟରେ ସାମିଲ୍ କରାଯାଇଛି । ଗିରିରାଜ ସିଂହ ଓ ଏଲଜେପି ସାଂସଦ ଚିରାଗ ପାଶଓ୍ବାନ ମଧ୍ୟ  କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ସତୀଶ ଦୁବେ ଓ ରାଜଭୂଷଣ ଚୌଧୁରୀ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  

ମୋଦି 3.O ସରକାରରେ ଗୁଜରାଟରୁ ୬ଜଣ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି । ୫ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ମାତ୍ର ଜଣେ ରାଜ୍ୟମନ୍ତ୍ରୀ ହୋଇଛନ୍ତି । ଅମିତ୍ ଶାହ, ଜେପି ନଡ୍ଡା, ସୁଭ୍ରମଣ୍ୟମ ଜୟଶଙ୍କର, ମନସୁଖ ମାଣ୍ଡବୟ, ସି ଆର୍ ପାଟିଲଙ୍କୁ କ୍ୟାବିନେଟ୍ ଦାୟିତ୍ବ ମିଳିଛି । ନିମୁବେନ ବମଭାନିଆ ରାଜ୍ୟମନ୍ତ୍ରୀ ହୋଇଛନ୍ତି ।

ମହାରାଷ୍ଟ୍ରରୁ ୬ଜଣ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି । ନୀତିନ ଗଡକରୀ ଓ ପିୟୁଷ ଗୋୟଲ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରତାପରାଓ ଯାଦବଙ୍କୁ ରାଜ୍ୟମନ୍ତ୍ରୀ ସ୍ବତନ୍ତ୍ର ପାହ୍ୟା ମିଳିଛି । ସେହିପରି ରାମଦାଶ ଅଠାଓ୍ବଲେ, ରକ୍ଷା ଖଡସେ, ମୁରଲୀଧର ମୋହୋଲ ରାଜ୍ୟମନ୍ତ୍ରୀ ହୋଇଛନ୍ତି । ମଧ୍ୟପ୍ରଦେଶରୁ ମଧ୍ୟ ୬ଜଣ ସାଂସଦ କେନ୍ଦ୍ର ମନ୍ତ୍ରି ପରିଷଦରେ ସାମିଲ୍ ହୋଇଛନ୍ତି । ଶିବରାଜ ସିଂହ ଚୌହାନ, ବିରେନ୍ଦ୍ର କୁମାର ଓ ଜ୍ୟୋତିରଆଦିତ୍ୟ ସିନ୍ଧିଆ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଲ ମରୁଗାନ, ଦୁର୍ଗାଦାସ ଉଈକ୍ ଏବଂ ସବିତ୍ରୀ ଠାକୁର ରାଜ୍ୟ ମନ୍ତ୍ରୀ ହୋଇଛନ୍ତି । 

କର୍ଣ୍ଣାଟକରେ ୫ଜଣ ସାଂସଦ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି । ନିର୍ମଳା ସୀତାରମଣ, ଏଚଡି କୁମାରସ୍ବାମୀ ଏବଂ ପ୍ରହ୍ଲାଦ ଯୋଶୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଭି. ସୋମତ୍ରା ଏବଂ ଶୋଭା କରାନ୍ଦଲାଜେ ରାଜ୍ୟ ମନ୍ତ୍ରୀ ହୋଇଛନ୍ତି । ହରିୟଣାରୁ ୩ଜଣ ମନ୍ତ୍ରୀ ରହିଛନ୍ତି । ମନୋହର ଲାଲ୍ କ୍ୟାବିନେଟରେ ରହିଛନ୍ତି । ସେହିପରି ରାଓ ଇନ୍ଦ୍ରଜିତ୍ ସିଂହ ଏବଂ କୃଣାପାଲ ଗୁଜର ରାଜ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଓଡ଼ିଶାରୁ ୩ଜଣ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୋଦିଙ୍କ କ୍ୟାବିନେଟରେ ସାମିଲ୍ ହୋଇଛନ୍ତି । ସେହିପରି ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ଆସାମରୁ ସର୍ବାନନ୍ଦ ସୋନେଓ୍ବାଲ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଆନ୍ଧ୍ରପ୍ରଦେଶରୁ ୩ଜଣ ଏବଂ ରାଜସ୍ଥାନରୁ ୪ଜଣ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି ।  ଝାଡ଼ଖଣ୍ଡ, ତେଲଙ୍ଗାନା, ପଶ୍ଚିମବଙ୍ଗ ଓ କେରଳରୁ ୨ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି । ଜାମ୍ମୁ-କାଶ୍ମୀର, ପଞ୍ଜାବ, ଅରୁଣାଚଳ ପ୍ରଦେଶ, ଗୋଆ ଓ ଉତ୍ତରାଖଣ୍ଡରୁ ଜଣିଆ ଲେଖାଏଁ ସାଂସଦ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.