ପଞ୍ଚଭୂତରେ ଲୀନ ହେଲେ ହୀରାବେନ: ମାଆଙ୍କୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
30/12/2022 at 10:16 AM

ଅହମଦାବାଦ: ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍। ମାଆଙ୍କ ବିୟୋଗ ଖବର ଶୁଣି ପ୍ରଧାନମନ୍ତ୍ରୀ ଆଜି ଗାନ୍ଧୀନଗରରେ ପହଞ୍ଚିଥିଲେ। ମାଆଙ୍କ ମରଶରୀରକୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ନେଇଯାଇଥିଲେ ମୋଦୀ।
ଅନ୍ତିମ ସଂସ୍କାର ବେଳେ ମୋଦୀଙ୍କ ପରିବାର ଲୋକ ସମେତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ବଡ଼ ପୁଅ ହିସାବରେ ମୋଦୀ ମାଆଙ୍କୁ ମୁଖାଗ୍ନି ଦେଇଥିଲେ। ଯୋଡ଼ ହସ୍ତରେ ପ୍ରମାଣ କରି ମାଆଙ୍କୁ ବିଦାୟ ଦେଇଥିଲେ।
ତେବେ ମାଆଙ୍କୁ ଅନ୍ତିମ ବିଦାୟ ଦେଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟରେ ଯୋଗ ଦେବେ ମୋଦୀ। ଆଜି ପଶ୍ଚିମବଙ୍ଗରେ ୭,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରୋଜେକ୍ଟର ଉଦ୍ଘାଟନ ହେବାର ଥିଲା। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେବେ ମୋଦୀ।
ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ୍ ପରଲୋକ ହୋଇଛି। ଶୁକ୍ରବାର ଭୋର ସମୟରେ ଆଖିବୁଜିଛନ୍ତି ଶତାୟୁ ହୀରାବେନ। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ସେ ଅହମଦାବାଦର ୟୁଏନ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗ ନେଇ ଆଜି ସକାଳେ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ହୀରବେନ୍ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଦେଶର ବଡ଼ ବଡ଼ ନେତା ଓ ମନ୍ତ୍ରୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।