ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣାର ପାନିପଥରେ ବୀମା ସାଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭାରତୀୟ ଜୀବନ ବୀମା ନିଗମର ଏହି ଯୋଜନାକୁ ଆରମ୍ଭ କରି ପିଏମ୍ ମୋଦୀ କହିଛନ୍ତି ଯେ ଭାରତ ମହିଳା ସଶକ୍ତିକରଣ ଦିଗରେ ଲଗାତାର ପଦକ୍ଷେପ ନେଉଛନ୍ତି । ପିଏମ୍ କହିଛନ୍ତି, ଆଜିର ଦିନ ଆହୁରି ଗୁରୁତ୍ୱ ରଖୁଛି ଏବଂ ଆଜି ହେଉଛି ୯ ତାରଖ । ଶାସ୍ତ୍ରରେ ସଂଖ୍ୟା ୯କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି ଏବଂ ଏହାର ସମ୍ପର୍କ ଶକ୍ତି ସହ ରହିଛି । ପିଏମ୍ ମୋଦୀ କହିଛନ୍ତି, ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବ ଏବଂ ଆର୍ଥିକ ଭାଗିଦାରୀ କରାଇବ । ସେ କହିଛନ୍ତି ଯେ ଆମେ ଅନେକ କଲ୍ୟାଣକାରୀ ଯୋଜନାକୁ ମହିଳାଙ୍କ ନାଁରେ ଆରମ୍ଭ କରିଛୁ ।
ଏଲ୍ଆଇସିର ବୀମା ସଖୀ ଯୋଜନା ଅଧିନରେ ୧୮ରୁ ୭୦ ବର୍ଷ ବୟସର ମହିଳାଙ୍କୁ ସାମିଲ କରାଯିବ। । ତେବେ ଏଥିରେ ସାମିଲ ହେବା ପାଇଁ ମହିଳା ଜଣ ଅନ୍ତତଃ ୧୦ମ ପାସ୍ କରିବା ଆବଶ୍ୟକ । ଏହି ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରାଯିବ ଏବଂ ପ୍ରାରମ୍ଭିକ ତିନି ବର୍ଷ ଯାଏ ଏକ ନିଶ୍ଚିତ ମାନଦେୟ ମିଳିବ । ସମାଜରେ ଆର୍ଥିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏବଂ ବୀମା ପ୍ରତି ଲୋକଙ୍କ ମଧ୍ୟ ସଚେତନତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯିବ । ବୀମା ସଖୀମାନେ ସମାଜରେ ଏଲ୍ଆଇସି ଏଜେଣ୍ଟ ରୂପେ କାମ କରିବେ । ଏହା ବ୍ୟତୀତ ସ୍ନାତକ କରିଥିବା ବୀମା ସଖୀଙ୍କୁ ଭବିଷ୍ୟତରେ ଏଲ୍ଆଇସି ସହ ଡେଭଲ୍ପମେଣ୍ଟ ଅଫିସ୍ର ଭାବେ କାମ କରିବାର ମଧ୍ୟ ସୁଯୋଗ ମିଳିବ ।
ପିଏମ୍ ମୋଦୀ ପ୍ରତୀକାତ୍ମକ ରୂପେ କିଛି ବୀମା ସଖୀଙ୍କୁ ନିଯୁକ୍ତିପତ୍ର ମଧ୍ୟ ଦେଇଛନ୍ତି । ଏହି ଯୋଜନା ଅଧିନରେ ବୀମା ସଖୀଙ୍କୁ ପ୍ରଥମ ତିନି ବର୍ଷ ଯାଏଁ ୫ରୁ ୭ ହଜାର ଟଙ୍କା ମାନଦେୟ ମିଳିବ । ଏହାସହ ବୀମା ସଖୀଙ୍କୁ ପ୍ରତି ପଲିସି ଉପରେ କମିଶନ ମଧ୍ୟ ମିଳିବ । ଏଲ୍ଆଇସିର ଅଫିସିଆଲ୍ ୱେବ୍ସାଇଟ୍କୁ ଯାଇ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ସୂଚନା ଅନୁସାରେ ଏହି ଯୋଜନା ଅନୁସାରେ ପୂର୍ବରୁ ଏଲ୍ଆଇସି ସହ କାମ କରୁଥିବା କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଏହାର ସୁଯୋଗ ମିଳିବ ନାହିଁ । ଆଗାମୀ ଏକ ବର୍ଷରେ ଦୁଇ ଲକ୍ଷ ବୀମା ସଖୀ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ମହିଳାଙ୍କୁ ମାନଦେୟ, ପଲିସିରେ କମିଶନ ବ୍ୟତୀତ ଟାର୍ଗେଟ୍ ହାସଲ କ୍ଷେତ୍ରରେ କିଛି ବୋନସ ମଧ୍ୟ ଦିଆଯିବ ।