ନେପାଳରେ RuPay ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ଦୁଇ ଦେଶ ସୁଖ ଦୁଃଖର ସାଥୀ

Published By : Prameya-News7 Bureau | April 02, 2022 IST

ନୂଆଦିଲ୍ଲୀ,୦୨।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂରଙ୍କ ମଧ୍ୟରେ ଦ୍ୱିପାକ୍ଷିତ ଆଲୋଚନା ହୋଇଛି। ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ୪ଟି ବୁଝାମଣା ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ନେପାଳରେ RuPay ଲଞ୍ଚ କରିଛନ୍ତି ।

ପ୍ରଥମ ଚୁକ୍ତିରେ ଭାରତର ନେତୃତ୍ୱରେ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାସନାଲ ସୋଲାର ଆଲିୟାନ୍ସରେ ନେପାଳ ସାମିଲ ହୋଇଛି। ସେହିପରି ଦ୍ୱିତୀୟ ଚୁକ୍ତିରେ ଦୁଇ ଦେଶ ରେଲୱେକୁ ନେଇ ବୈଷୟିକ ସହଯୋଗ ବଢାଇବାକୁ ରାଜି ହୋଇଛନ୍ତି। ତୃତୀୟରେ ନେପାଳକୁ ପେଟ୍ରୋଲିୟମ ଉତ୍ପାଦ ଯୋଗାଇବା ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଏବଂ ନେପାଳ ଅଏଲ କର୍ପୋରେସନ ମଧ୍ୟରେ ଏଥିପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଛି। ସେହିପରି ଚତୁର୍ଥ ବୁଝାମଣାରେ ନେପାଳ ଅଏଲ କର୍ପୋରେସନ ଏବଂ ଆଇଓସିଏଲ ମଧ୍ୟରେ ବୈଷୟିକ ସହଯୋଗ ଉପରେ ଚୁକ୍ତି ସ୍ୱାକ୍ଷର ହୋଇଛି।

ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସବାର୍ତ୍ତାର ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ ଦେଉବାଙ୍କୁ ସ୍ୱାଗତ କରିଥିଲେ । ଏହାସହ ନେପାଳ ରାଷ୍ଟ୍ରପତି ଏବଂ ନେପାଳବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଥିଲେ। ମୋଦୀ କହିଥିଲେ, ଦେଉବା ଭାରତର ପୁରୁଣା ବନ୍ଧୁ ଏବଂ ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ୫ମ ଭାରତ ଗସ୍ତ। ଭାରତ-ନେପାଳ ପରି ବନ୍ଧୁତାର ସମ୍ପର୍କ ଦୁନିଆରେ ଆଉ କେଉଁଠି ମଧ୍ୟ ଦେଖିବାକୁ ମିଳିବ ନାହିଁ। ଆମେ ସୁଖ ଦୁଃଖ ସାଥୀ।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର କହିଥିଲେ, ନେପାଳ ଏବଂ ନେପାଳୀ ଲୋକଙ୍କ ପ୍ରତି ଆପଣଙ୍କ ସ୍ନେହକୁ ସମ୍ମାନ ଜଣାଉଛି। ଭାରତ ଆଜାଦୀ କା ଅମୃତ ମହୋତ୍ସବରେ ଚଳିତ ବର୍ଷ ଆମେ ଭାରତ-ନେପାଳ ସମ୍ପର୍କର ୭୫ ବର୍ଷ ପାଳନ କରୁଛୁ । ମୁଁ ମୋର ପ୍ରଥମ କରୋନା ଟିକା ଭାରତରୁ ମିଳିଥିବା ଟିକାରୁ ନେଇଥିଲି। ଭାରତର ପ୍ରଗତରେ ଆମର ଲାଭ ଦେଖୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.