ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବା ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, ‘କାଶ୍ମୀରବାସୀଙ୍କ ପାଇଁ ଆଜି ଐତିହାସିକ ଦିନ, ପ୍ରଶାସନର ବଡ ଉପଲବ୍ଧି’

Published By : Prameya-News7 Bureau | December 26, 2020 IST

ଶ୍ରୀନଗର ୨୬/୧୨ : ଜାମ୍ମୁ-କାଶ୍ମୀରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ବଡ ଉପହାର ଦେଇଛନ୍ତି । କାଶ୍ମୀରବାସୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୌହାଟୀରୁ ଗୃହ ମନ୍ତ୍ରୀ ଅମିତ ଶାହା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ । ଏହା ସହ କେନ୍ଦ୍ର ଶାସିତ ଅଞ୍ଚଳର ଉପ-ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଯୋଗ ଦେଇଥିଲେ ।

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଭାର୍ଥୀଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି ଆଜି ଜାମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଐତିହାସିକ ଦିନ । ଆଜି ଠାରୁ ଜାମ୍ମୁ-କାଶ୍ମୀରବାସୀ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଉଠାଇ ପାରିବେ । ଏହା ସହ ମୋଦି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜାମ୍ମୁ-କାଶ୍ମୀରବାସୀକୁ ବହୁତ ଭଲ ପାଉଥିଲେ । ସେ କହିଛନ୍ତି ଜାମ୍ମୁ-କାଶ୍ମୀର ପ୍ରଶାସନ ଲୋକଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇଛି । ଧାରା ୩୭୦ ଉଠିବା ପରେ ଏଠାରେ ନିର୍ବାଚନ ହେବା ପଛରେ ପ୍ରଶାସନ ଏବଂ ସ୍ଥାନୀୟ ଲୋକଙ୍କର ବହୁତ ବଡ ଭୁମିକା ରହିଛି ବୋଲି ମୋଦି କହିଛନ୍ତି ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜର ନାରା ଦେଇଥିଲେ ଯାହାକୁ ଆମେ ପୁରା କରିବାରେ ସଫଳ ହୋଇଛୁ । ସେ କହିଛନ୍ତି ଦିଲ୍ଲୀରେ କିଛି ବ୍ୟକ୍ତି ଗାଳି ଦେଉଛନ୍ତି, ଅଶ୍ଳୀଳ ଭାଷା ବ୍ୟବହାର କରୁଛନ୍ତି । ସେମାନେ ଆସି ଦେଖନ୍ତୁ କାଶ୍ମୀରରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେଲା । ଯେଉଁମାନେ ଲୋକତନ୍ତ୍ରକୁ ନେଇ ଭାଷଣ ଦେଉଛନ୍ତି, ସେମାନେ ମନେ ରଖିବା ଉଚିତ ଯେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ପୁଡୁଚେରୀରେ ପଞ୍ଚୟତ ନିର୍ବାଚନ ହୋଇପାରିନାହିଁ ।

ପଶ୍ଚିମବଙ୍ଗରେ ଆୟୁଷ୍ମାନ ଯୋଜନା ଲାଗୁ ନହେବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସେଠାରେ ଆୟୁଷ୍ମାନ ଯୋଜନାର ଲାଭ ମିଳିବା ବହୁ କଷ୍ଟକର । ଏହି ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରର ସମସ୍ତ ବ୍ୟକ୍ତିଙ୍କୁ ଏହି ଯୋଜନାର ଲାଭ ମିଳିବ । ସବୁ କାଶ୍ମୀରୀ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିପାଇଁ ୨୨୯ ସରକାରୀ ହସ୍ପିଟାଲ ଏବଂ ୩୫ ଟି ଘରୋଇ ହସ୍ପିଟାଲ ସହ ଚୁକ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.