ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଉଦଘାଟନ କଲେ ପିଏମ ମୋଦୀ, ଅଧା ହେବ ଦିଲ୍ଲୀରୁ ଚିତ୍ରକୁଟ ଯାତ୍ରା ସମୟ, ବିକାଶକୁ ମିଳିବ ଗତି

Published By : Prameya-News7 Bureau | July 16, 2022 IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ବହୁ ପ୍ରତିକ୍ଷୀତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ-ୱେର ଉଦଘାଟନ କରିଛନ୍ତି। ୧୪,୮୫୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ଉତ୍ତର ପ୍ରଦେଶର ସାତଟି ଜିଲ୍ଲା ଦେଇ ଯାଇଛି । ଏହି ଏକ୍ସପ୍ରେସ ୱେ ଲୋକଙ୍କ ପାଇଁ ଖୋଲିବା ପରେ ବୁନ୍ଦେଲଖଣ୍ଡରୁ ଦିଲ୍ଲୀକୁ ମାତ୍ର ୬ ଘଣ୍ଟାର ସମୟ ଲାଗିବ। ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରି କହିଛନ୍ତି, ଏହି ଏକ୍ସପ୍ରେସ ୱେ ଯୋଗୁଁ ଚିତ୍ରକୁଟରୁ ଦିଲ୍ଲୀର ଯାତ୍ରା ତିନିରୁ ୪ ଘଣ୍ଟା ହ୍ରାସ ହେବ, କିନ୍ତୁ ଏହାର ଲାଭ ଏହାଠୁ ମଧ୍ୟ ବହୁ ଅଧିକ ହେବ। ଏହି ଏକ୍ସପ୍ରେସ ୱେ କେବଳ ଯାନ ଗୁଡିକୁ ଗତି ଦେବ ନାହିଁ ବରଂ ବୁନ୍ଦେଲଖଣ୍ଡର ଉଦ୍ୟୋଗକୁ ମଧ୍ୟ ଗତି ପ୍ରଦାନ କରିବ।

ଉଦଘାଟନ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରିଜେଶ ପାଠକ ଉପସ୍ଥିତ ରହିଥିଲେ । ସରକାରଙ୍କ ଲକ୍ଷ୍ୟ ଥିଲା ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ଏକ୍ସପ୍ରେସ ୱେକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବା, କିନ୍ତୁ ଏହା ହୋଇପାରି ନଥିଲା ଏବଂ ନିର୍ବାଚନ ପରେ ଏବେ ଏହାର ଉଦଘାଟନ କରାଯାଇଛି।

wp:html /wp:html

୧. ପ୍ରଧାନମନ୍ତ୍ରୀ ମୋଦୀ ୨୦୨୦ ଫେବ୍ରୁଆରୀ ୨୯ରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଥିଲେ। ଏହି ଏକ୍ସପ୍ରେସର ନିର୍ମାଣ କାମକୁ ମାତ୍ର ୨୮ ମାସରେ ଶେଷ କରାଯାଇଛି।

୨. ଏହି ଚାରି ଲେନ ବିଶିଷ୍ଟ ଏକ୍ସପ୍ରେସ ୱେର ନିର୍ମାଣ ୟୁପିଇଆଇଡିଏ ତତ୍ୱାବଧାନରେ ପ୍ରାୟ ୧୪,୮୫୦ କୋଟି ଟଙ୍କା ବିନିମୟରେ କରାଯାଇଛି । ପରେ ଏହାକୁ ଛଅ ଲେନ କରିବାର ଯୋଜନା ମଧ୍ୟ ରହିଛି।

୩. ଏହି ଏକ୍ସପ୍ରେସ ୱେ ଚିତ୍ରକୁଟ ଜିଲ୍ଲାର ଭରତକୁପ ନିକଟ ରାଷ୍ଟ୍ରୀୟ ରାଜମାର୍ଗ-୩୫ରୁ ଆରମ୍ଭ ହୋଇ ଇଟାୱା ଜିଲ୍ଲାର କୁଦରେଲ ଗାଁ ଯାଏଁ ଲମ୍ୱିଛି । ପରେ ଏହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ସହ ମିଶିଯାଏ । ଏହି ଏକ୍ସପ୍ରେସ ୱେ ୟୁପିର ସାତଟି ଜିଲ୍ଲା-ଚିତ୍ରକୁଟ, ବାନ୍ଦା, ମହୋୱା, ହମୀରପୁର, ଜାଲୌନ, ଔରେୟା ଏବଂ ଇଟାୱା ଦେଇ ଯାଇଛି।

୪. ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେରେ ଯାତ୍ରା ସମୟରେ ଭାଗେନ, କେନ, ଶ୍ୟାମା, ଚନ୍ଦ୍ରାବଲ, ଭିରମା, ଯମୁନା, ବେତୱା ଏବଂ ସେଙ୍ଗର ନଦୀ ପଡିବ। ଏଥିରେ ମୋଟ ଚାରୋଟି ରେଲୱେ ଓଭର ବ୍ରିଜ, ୧୪ଟି ବଡ଼ ପୋଲ, ଛଅଟି ଟୋଲ ପ୍ଲାଜା, ୨୬୬ଟି ଛୋଟ ବ୍ରିଜ ଏବଂ ୧୮ଟି ଫ୍ଲାଇ ଓଭର ରହିଛି।

୫. ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଏହି ଅଞ୍ଚଳରେ ଗମନାଗମନରେ ସୁଧାର ଆଣିବା ସହ ଆର୍ଥିକ ବିକାଶକୁ ମଧ୍ୟ ଗତି ପ୍ରଦାନ କରିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ଅନେକ ମାଧ୍ୟମ ସୃଷ୍ଟି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.