ଇଣ୍ଡିଆ ଗେଟରେ ନେତାଜୀଙ୍କ ପ୍ରତିମାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, ‘କର୍ତ୍ତବ୍ୟ ପଥ’ର କଲେ ଉଦ୍ଘାଟନ
8/09/2022 at 8:29 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁର ଉଦଘାଟନ କରିଛନ୍ତି । ଏବେ ଏହା କର୍ତ୍ତବ୍ୟ ପଥ ନାଁରେ ଜଣାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହାସହ ଦିଲ୍ଲୀରେ ସେଣ୍ଟ୍ରାଲ ଭିସ୍ତାର ପୁର୍ନବିକାଶ ପରିଯୋଜନାରେ ସାମିଲ କାର୍ଯ୍ୟକର୍ତ୍ତାଙ୍କ ସହ କଥା ହୋଇଥିଲେ।
ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ୨୮ ଫୁଟ୍ ଉଚ୍ଚର ଏହି ପ୍ରତିମୂର୍ତ୍ତିକୁ ଗୋଟିଏ ଗ୍ରାନାଇଟ୍ ପଥରରେ ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ ଏହାକୁ ନିର୍ମାଣ କରିବା ପାଇଁ ୨୬ ହଜାର ଘଣ୍ଟ ସମୟ ଲାଗିଛି । ଉଲ୍ଲେଖଯୋଗ୍ୟ ଯେ, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନେତାଜୀଙ୍କ ହୋଲୋଗ୍ରାମ ରଖିଥିଲେ । ଏବେ ଏହି ସ୍ଥାନରେ ନେତାଜୀଙ୍କ ବିଶାଳ ମୂର୍ତ୍ତିର ଅନାବରଣ କରାଯାଇଛି।
#WATCH दिल्ली: प्रधानमंत्री नरेंद्र मोदी ने इंडिया गेट पर नेताजी सुभाष चंद्र बोस की प्रतिमा का अनावरण किया।
— ANI_HindiNews (@AHindinews) September 8, 2022
(सोर्स-डीडी) pic.twitter.com/kA6G0oVDLU
ଏହି ଅବସରରେ ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଉପନିବେଶବାଦର ପ୍ରତୀକ କିଙ୍ଗସୱେ ଏବେ ଇତିହାସ ହେବ ଏବଂ ସବୁ ଦିନ ପାଇଁ ଲିଭେଇ ଯିବ । କର୍ତ୍ତବ୍ୟ ପଥ ଭାବେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଉପନିବେଶବାଦର ଆଉ ଏକ ପ୍ରତୀକରୁ ମୁକ୍ତି ପାଇଥିବାକୁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି’।
ଏହି ଉଦଘଟାନୀ କାର୍ଯ୍ୟକ୍ରମ ସମୟରେ ଶ୍ରମଜୀବୀଙ୍କୁ ଭେଟି ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପରେଡ ପାଇଁ ଏହି ପରିଯୋଜନାରେ କାମ କରୁଥିବା ସମସ୍ତଙ୍କୁ ଆମନ୍ତ୍ରିତ କରିବେ ବୋଲି ପିଏମ ମୋଦୀ କହିଛନ୍ତି । ନୂତନ ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁ ଉପରେ ଏକ ପ୍ରଦର୍ଶନୀ ପ୍ରଧାନମନ୍ତ୍ରୀ ମୋଦୀ ଦେଖିଥିଲେ। ସେଣ୍ଟ୍ରାଲ ଭିସ୍ତା ଏଭେନ୍ୟୁ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ଯାଏଁ ବ୍ୟାପିଛି । ଏଠାରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ସହ ଅନେକ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।